Report Card Odisha

| Daily Odia News

ଯୁବପିଢ଼ିଙ୍କୁ ଗୁରୁମନ୍ତ୍ର ଦେଲେ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ମନ କି ବାତର ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ମନର କଥା କହିଛନ୍ତି | ରାଜନୀତିକୁ ଆସିବାକୁ ଇଚ୍ଛୁକ ଥିବା ଯୁବପିଢ଼ିଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ବର୍ତ୍ତମାନର ଯୁବକ ରାଜନୀତିକୁ ଆସିବାକୁ ଆଗ୍ରହୀ ଅଛନ୍ତି ଏବଂ ସେମାନଙ୍କୁ କେବଳ ସଠିକ୍ ମାର୍ଗଦର୍ଶନର ଆବଶ୍ୟକତା ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି, ‘ଚଳିତ ବର୍ଷ ମୁଁ ଲାଲ୍‌କିଲ୍ଲାରୁ ରାଜନୈତିକ ପୃଷ୍ଠଭୂମି ନଥିବା ଏକ ଲକ୍ଷ ଯୁବକଙ୍କୁ ରାଜନୀତିକୁ ଆସିବାକୁ ଆହ୍ୱାନ ଦେଇଛି। ଏହାକୁ ନେଇ ମୋତେ ଜବରଦସ୍ତ ପ୍ରତିକ୍ରିୟା ବି ମିଳିଛି। ଏଥିରୁ ଜଣାପଡୁଛି ଆମ ଦେଶର ଅନେକ ଯୁବକ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛୁକ ଅଛନ୍ତି। ସେମାନେ କେବଳ ଉପଯୁକ୍ତ ସୁଯୋଗ ଏବଂ ସଠିକ ମାର୍ଗଦର୍ଶନ ଖୋଜୁଛନ୍ତି।’ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ‘ପରାମର୍ଶ ପଠାଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ସ୍ୱାଧୀନତା ସଂଗ୍ରାମ ସମୟରେ ମଧ୍ୟ ସମାଜର ପ୍ରତ୍ୟେକ ବର୍ଗର ଅନେକ ଲୋକ ଆଗକୁ ଆସିଥିଲେ। ଯେଉଁମାନଙ୍କର କୌଣସି ରାଜନୈତିକ ପୃଷ୍ଠଭୂମି ନ ଥିଲା। ଭାରତର ସ୍ୱାଧୀନତା ପାଇଁ ସେମାନେ ନିଜକୁ ବଳିଦାନ ଦେଇଥିଲେ। ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାକୁ ଆଜି ଆମକୁ ପୁଣି ଥରେ ସମାନ ଉତ୍ସାହର ଆବଶ୍ୟକତା ରହିଛି। ମୁଁ ମୋର ସମସ୍ତ ଯୁବବର୍ଗ ବନ୍ଧୁମାନଙ୍କୁ ନିଶ୍ଚିତ ଭାବେରେ ଏହି ଅଭିଯାନରେ ଯୋଗଦେବାକୁ କହିବି।’ ମୁଁ ଆଶା କରୁଛି ଯେ, ବର୍ତ୍ତମାନ ଆମର ସାମୂହିକ ଉଦ୍ୟମ ସହିତ ରାଜନୈତିକ ପୃଷ୍ଠଭୂମି ନ ଥିବା ଭଳି ଯୁବକମାନେ ମଧ୍ୟ ରାଜନୀତିରେ ଆଗକୁ ବଢ଼ିପାରିବେ। ସେମାନଙ୍କ ଅଭିଜ୍ଞତା ଏବଂ ସେମାନଙ୍କର ଉତ୍ସାହ ଦେଶ ପାଇଁ ଉପଯୋଗୀ ହେବ ମୋଦି କହିଛନ୍ତି। ସେହିଭଳି ପରିବାରବାଦ ରାଜନୀତି କଥା କହି ଏହା ପ୍ରତିଭାକୁ ଦମନ କରିଥାଏ ବୋଲି କହିଛନ୍ତି ମୋଦି। ଆଜି ମନ୍‌ କି ବାତ୍‌ରେ ମୋଦି ଅନ୍ତରୀକ୍ଷ ବୈଜ୍ଞାନିକଙ୍କ କଥା ମଧ୍ୟ କହିଛନ୍ତି। ଚନ୍ଦ୍ରାୟାନ-୩ର ସଫଳତା ସମ୍ପର୍କରେ ସେ ବଖାଣିଛନ୍ତି। ମୋଦି କହିଛନ୍ତି ‘ଅନ୍ତରୀକ୍ଷ କ୍ଷେତ୍ରରେ ସଂସ୍କାର ଦ୍ୱାରା ଯୁବକଙ୍କୁ ଫାଇଦା ମିଳିଛି। ଏହାଦ୍ୱାରା ବିକଶିତ ଭାରତର ମୂଳଦୁଆ ମଜବୁତ ହେଉଛି।’ ସେହିପରି ହର୍ ଘର ତ୍ରିରଙ୍ଗା ଅଭିଯାନ ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Breaking News