Report Card Odisha

| Daily Odia News

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌…..

ରିପୋର୍ଟ କାର୍ଡ / ବାଲେଶ୍ୱର

ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌ ହୋଟେଲର ମାଲିକ ତଥା ହାଓଡା ଆନ୍ଦୋଳ ଅଞ୍ଚଳର ଜୟନ୍ତ ମାଇତି ଓ ତାଙ୍କ ପୁଅ ସୌମ୍ୟଦୀପ ମାଇତି ହିଁ ଏହି ପ୍ରାଣୀ ଚୋରା ଚାଲାଣର ମାଷ୍ଟରମାଇଣ୍ଡ୍‌। ତଦନ୍ତକାରୀ ସଂସ୍ଥା କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ପଶ୍ଚିମବଙ୍ଗର ଦୀଘା ଓ ଓଡ଼ିଶାର ବାଲେଶ୍ୱର ସୀମାରେ ଥିବା ୧୭୦ ସିସିଟିଭି ଯାଞ୍ଚ କରିବା ସହ ଉକ୍ତ ହୋଟେଲର ମ୍ୟାନେଜରଙ୍କ ସମେତ ୫ କର୍ମଚାରୀଙ୍କୁ ପଚରାଉଚରା ପରେ ଏଭଳି ବହୁ ତଥ୍ୟ ହାସଲ କରିଛି। ଉଭୟ ବାପପୁଅଙ୍କ ଇଣ୍ଟରନ୍ୟାଶନାଲ ବନ୍ୟଜନ୍ତୁ ଚାଲାଣକାରୀଙ୍କ ସହ ରହିଛି ନିବିଡ଼ ସମ୍ପର୍କ। ସେମାନେ ଭାରତରୁ ବଜ୍ରକାପ୍ତା, ହାତୀଦାନ୍ତ, ସାପ ସମେତ ବିଭିନ୍ନ ବନ୍ୟପ୍ରାଣୀ ଏବଂ ପଡୋଶୀ ଦେଶରୁ ଓରାଙ୍ଗ୍‌ଉଟାନ ଭଳି ବିରଳ ବନ୍ୟପ୍ରାଣୀ ଚାଲାଣ କରିଥିବା ଜଣାପଡିଛି। ଏହି ବେଆଇନ କାରବାରରୁ କୋଟି କୋଟି ଟଙ୍କା ରୋଜଗାର କରି ହୋଟେଲ ସମେତ ବିପୁଳ ସମ୍ପତ୍ତି ଠୁଳ କରିଛନ୍ତି। ଏଥିସହ ଭାରତର ବିଭିନ୍ନ ଜଙ୍ଗଲରେ ଚାଲିଥିବା ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣରେ ସେମାନଙ୍କର ସମ୍ପୃକ୍ତି ରହିଛି। ସେମାନଙ୍କ ନାମରେ ପଶ୍ଚିମବଙ୍ଗ ସମେତ ଦେଶର ବିଭିନ୍ନ ରାଜ୍ୟରେ ମାମଲା ରହିଥିବା ଏସ୍‌ଟିଏଫ୍‌ ଟିମ୍‌ ଜାଣିବାକୁ ପାଇଛି। ଓରାଙ୍ଗ୍‌ଉଟାନ ଶାବକଙ୍କୁ ମ୍ୟାନ୍‌ମାର ଦେଇ ପଶ୍ଚିମବଙ୍ଗକୁ କାର୍‌ରେ ଅଣାଯାଇଥିବା ସ୍ପଷ୍ଟ ହୋଇଛି। କିନ୍ତୁ କେଉଁ ଦେଶରୁ ଚୋରା ଚାଲାଣ କରାଯାଇଥିଲା, ତାହାର ପ୍ରମାଣ ପାଇଁ ଏସ୍‌ଟିଏଫ୍‌ ତଦନ୍ତକୁ ତ୍ୱରାନ୍ବିତ କରିଛି। ମାଷ୍ଟରମାଇଣ୍ଡ୍‌ ଜୟନ୍ତ ଓ ପୁଅ ସୌମ୍ୟଦୀପ ନିଜ ହୋଟେଲରେ ରଖି ଏକ ଘରୋଇ ଫାର୍ମ ହାଉସ୍‌ ମାଲିକଙ୍କୁ ବିକ୍ରି ପାଇଁ ଯୋଜନା କରିଥିଲେ। ହେଲେ ଡିଲ୍‌ ବିଫଳ ହେବାରୁ ତରବରିଆ ଭାବେ ବିଚିତ୍ରପୁର ଜଙ୍ଗଲରେ ଛାଡ଼ି ପଳାଇଥିଲେ। ତେବେ ଓରାଙ୍ଗ୍‌ଉଟାନ ଚାଲାଣରେ ଅନ୍ତର୍ଜାତୀୟ ର଼୍ୟାକେଟର ଲିଙ୍କ୍‌ ସ୍ପଷ୍ଟ ହୋଇଥିବାରୁ ଏସ୍‌ଟିଏଫ୍‌ ଏବଂ ବନବିଭାଗ ଇଣ୍ଟରପୋଲର ସହାୟତା ଲୋଡ଼ିଛି। ଏପଟେ ହୋଟେଲ ସିସିଟିଭି ହାର୍ଡଡିସ୍କକୁ ନେଇ ଏସ୍‌ଟିଏଫ୍‌ ଛାନଭିନ କରୁଛି। ରବିବାର ହୋଟେଲ ମାଲିକ ଜୟନ୍ତଙ୍କ ସ୍ତ୍ରୀ ଓ ଝିଅଙ୍କୁ ୫ଘଣ୍ଟା ଧରି ଜେରା କରିଛି ଏସ୍‌ଟିଏଫ୍‌। ଜୟନ୍ତ ଓ ତାଙ୍କ ପରିବାର ସଦସ୍ୟଙ୍କ ସମେତ ମୋଟ ୧୨ଜଣଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ୪ ମାସ ପୂର୍ବରୁ ଜୟନ୍ତ ଦୀଘାରେ ହୋଟେଲ ଖୋଲି ବନ୍ୟପ୍ରାଣୀ ଚୋରାଚାଲାଣ ପାଇଁ ଡିଲ୍‌ କରୁଥିଲେ। ସେହିପରି ତାଙ୍କ ପୁଅ ସୌମ୍ୟଦୀପଙ୍କ ନାମରେ ମଧ୍ୟ ପୂର୍ବରୁ ବିଭିନ୍ନ ଆପରାଧିକ ମାମଲା ଥିବା ଜଣାପଡ଼ିଛି। ଏକ ମାମଲାରେ ୟୁପି ପୋଲିସ ତାଙ୍କୁ ମଧ୍ୟ ଗିରଫ କରିଥିଲା। ତେଣୁ ଫେରାର ଉଭୟ ବାପପୁଅ ଓ ଫାର୍ମ ହାଉସ ମାଲିକଙ୍କୁ ଧରିବା ତଦନ୍ତକାରୀ ଅଧିକାରୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଆହୁରି ମଧ୍ୟ ଅଟକ ଥିବା ୫ଜଣ ଠିକ୍‌ କହୁଛନ୍ତି ନା କିଛି ଲୁଚାଉଛନ୍ତି, ସେଥିପାଇଁ ଏମାନଙ୍କ ମଧ୍ୟରୁ ହୋଟେଲର ମ୍ୟାନେଜର ସମେତ ୩ଜଣଙ୍କ ମିଛଧରା ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପଟରେ ୫ଟି ଓରାଙ୍ଗ୍‌ଉଟାନ ଶାବକ ବାହାର ରାଜ୍ୟର ଏକ ଫାର୍ମ ହାଉସକୁ ଯାଇଥାନ୍ତେ। ତେଣୁ ଏସ୍‌ଟିଏଫ୍‌ର ୪ ସ୍ପେଶାଲ ଟିମ୍‌ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ଗୁଜରାଟ ଯାଇ ଖୋଳତାଡ଼ ଆରମ୍ଭ କରିଛି। ଖୁବ୍‌ଶୀଘ୍ର ଏହି ର଼୍ୟାକେଟ୍‌ର ପର୍ଦ୍ଦାଫାସ ହେବ ବୋଲି ତଦନ୍ତକାରୀ ଟିମ୍‌ ଆଶା ରଖିଛି।

Breaking News