Report Card Odisha

| Daily Odia News

ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ…..

ରିପୋର୍ଟ କାର୍ଡ / କଟକ

ଚଳିତ ବର୍ଷ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ନିର୍ବାଚନ କାମ ଏଥିରେ ସାମାନ୍ୟ ପ୍ରତିବନ୍ଧକ ସୃଷ୍ଟି କରୁଥିଲେ ବି ମାଟ୍ରିକ ରେଜଲ୍ଟ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀ ପାଇପାରିବେ ଡିଜିଟାଲ ସାର୍ଟିଫିକେଟ । ରେଜଲ୍ଟ ପ୍ରକାଶର ୭ ଦିନ ମଧ୍ୟରେ ମିଳିବ ଏହି ସାର୍ଟିଫିକେଟ । ଆଜି ବୋର୍ଡ ପକ୍ଷରୁ ପ୍ରେସମିଟରେ ଏହି ସୂଚନା ଦିଆଯାଇଛି। ବୋର୍ଡ ସଭାପତିଙ୍କ ସୂଚନା ଅନୁସାରା, ଗତକାଲିଠୁ ଖାତାଦେଖା ଆରମ୍ଭ ହୋଇଥିବା ବେଳେ ୨୮ ସୁଦ୍ଧା ତାହା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଖାତା ଦେଖାକୁ ନିର୍ଭୂଲ କରିବାକୁ ଚଳିତ ବର୍ଷ ‘ଚେକର ଓ ମେକର’ ବ୍ୟବସ୍ଥା କରାଯାଇଛି। ମୂଲ୍ୟାୟନ କେନ୍ଦ୍ରରୁ ବୋର୍ଡ ହେଡଅଫିସ ଓ ଟେକନିକାଲ ଫାର୍ମ ସହ ଯୋଗାଯୋଗ ରହିଛି। ରେଜଲ୍ଟ ପ୍ରକାଶର ୭ ଦିନ ଭିତରେ ଛାତ୍ରଛାତ୍ରୀମାନେ ଡାଉନଲୋଡ କରି ଡିଜିଟାଲ ସାର୍ଟିଫିକେଟ ପାରିବେ । ରେଜଲ୍ଟ ବାହାରିବାର ୧୫ ଦିନ ମଧ୍ୟରେ ପିଲାମାନେ ସ୍କୁଲରୁ ହାର୍ଡ କପି ଆଣିପାରିବେ । ଡିଜିଟାଲ କପି ବି ହାର୍ଡକପି ପରି ଗୁରୁତ୍ୱ ବହନ କରିବ । ଛାତ୍ରଛାତ୍ରୀମାନେ ଏହି ସାର୍ଟିଫିକେଟ ବ୍ୟବହାର କରି ଉଚ୍ଚତର ଶିକ୍ଷା ପାଇଁ ଆବେଦନ କରିପାରିବେ। ଏବେ ନିର୍ବାଚନ ଡ୍ୟୁଟି ଯୋଗୁ ଶିକ୍ଷକମାନେ ଖାତା ଦେଖା ସହ ସେଥିରେ ମଧ୍ୟ ନିୟୋଜିତ ହେଉଛନ୍ତି। ଏଥିଯୋଗୁ ସାମାନ୍ୟ ଅଧିକ ଚାପ ପଡ଼ୁଥିଲେ ବି ନିର୍ଦ୍ଧାରିତ ସମୟରେ ରେଜଲ୍ଟ ବାହାର କରିବାକୁ ଟାର୍ଗେଟ ରଖାଯାଇଛି ବୋଲି କହିଛନ୍ତି ବୋର୍ଡ ସଭାପତି । ବୋର୍ଡ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି କହିଛନ୍ତି, ପ୍ରତିଦିନ ଶିକ୍ଷକମାନଙ୍କର ନିର୍ବାଚନ ଡ୍ୟୁଟି ପଡ଼ୁଛି। ତେଣୁ ପ୍ରତି ୟୁନିଟରୁ ଶିକ୍ଷକଙ୍କ ସଂଖ୍ୟା କମିଯାଉଛି। ଶିକ୍ଷକମାନେ ନିର୍ବାଚନ କାମ ସାରି ପରଦିନ ଡ୍ୟୁଟିରେ ଯୋଗ ଦେବାକୁ କୁହାଯାଇଛି। ୧୦ରୁ କମ୍‌ ଶିକ୍ଷକ ଥିଲେ ବି ଖାତଦେଖା କେବେ ବନ୍ଦ ହେବନି।ଏଥିସହ ସେ କହିଛନ୍ତି, କଡ଼ା ସୁରକ୍ଷା ବ୍ୟବସ୍ଥାରେ ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ଚାଲିଛି। ଖାତାଦେଖାରେ ନିୟୋଜିତ ଶିକ୍ଷକଶିକ୍ଷୟିତ୍ରୀ ସେଣ୍ଟର ସୁପରଭାଇଜର ଓ କ୍ୟାମ୍ପ ଅଫିସରଙ୍କ ନିକଟରେ ନିଜ ମୋବାଇଲ ହସ୍ତାନ୍ତର କରି ଭିତରକୁ ଯାଉଛନ୍ତି। ଏଥିସହ ଖରାକୁ ଦୃଷ୍ଟିରେ ରଖି ମୂଲ୍ୟାୟନ କେନ୍ଦ୍ରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ପଡ଼ିଲେ ଖାତା ଦେଖା ସମୟ ସକାଳୁ ବି କରାଯାଇ ପାରିବ ବୋଲି ସେ କହିଛନ୍ତି।

Breaking News