ରିପୋର୍ଟ କାର୍ଡ / ବାରିପଦା
ମୟୂରଭଞ୍ଜର ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ରାସଗୋବିନ୍ଦପୁର ବ୍ଲକ୍ର ଐତିହାସିକ ଅମର୍ଦ୍ଦା ବିମାନଘାଟିର ପୁନଃନିର୍ମାଣ ହେବ | ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ଏୟାରଷ୍ଟ୍ରିପର ବିକାଶ ପାଇଁ ଓଡ଼ିଶା ସରକାରଙ୍କୁ ଅନୁମତି ଦିଆଯାଇଛି । ଏଠାରେ ପ୍ରତିରକ୍ଷା ବିଭାଗ ଅଧୀନରେ ଥିବା ୧୬୦.୩୫ ଏକର ଜମିକୁ ଓଡ଼ିଶା ସରକାରଙ୍କୁ ହସ୍ତାନ୍ତର କରାଯିବ। ଏଥିପାଇଁ ପ୍ରତିରକ୍ଷା ବିଭାଗକୁ ୨୬ କୋଟି ୩ ଲକ୍ଷ ୧୦ ହଜାର ୪୩୮ ଟଙ୍କା ପୈଠ କରିବେ ରାଜ୍ୟ ସରକାର। ଏଥିସହ ଉକ୍ତ ଜମିର ଉପଯୋଗ ପାଇଁ ‘ସ୍ୱତନ୍ତ୍ର ବୋର୍ଡ ଅଫ୍ ଅଫିସର୍ସ’ ଗଠନ କରାଯିବ। ଏହି ବୋର୍ଡର ସଦସ୍ୟମାନେ ଜମିର ବାସ୍ତବ ସ୍ଥିତି, ସୀମା ନିର୍ଦ୍ଧାରଣ ଓ ନିୟମ ଅନୁଯାୟୀ ହସ୍ତାନ୍ତର କାର୍ଯ୍ୟ କରିବେ। ଜମି ଅଧିଗ୍ରହଣ ବେଳେ ସେଠାରେ ଥିବା ସରକାରୀ, ବେସରକାରୀ ନିର୍ମାଣକୁ ହଟାଇବାକୁ ଆଇନଗତ ପଦକ୍ଷେପ ନିଆଯିବ। ଏ ନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ଡିଆର୍ଡିଓ ଓ ଡାଇରେକ୍ଟର ଜେନେରାଲ, ଡିଫେନ୍ସ ଇଷ୍ଟେଟ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଡିଆର୍ଡିଓ ଓ ରାଜ୍ୟ ସରକାର କେତେ ପରିମାଣର ଜମି ଉପଯୋଗ କରିବେ, ସେ ବିଷୟରେ ମଧ୍ୟ ବୋର୍ଡ ଫଇସଲା କରିବ। ଏହି କାର୍ଯ୍ୟ ସଂପନ୍ନ ହେବାପରେ ବିମାନଘାଟିର ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଉଲ୍ଲେଖ ଯୋଗ୍ୟ – ପ୍ରସ୍ତାବିତ ବିମାନବନ୍ଦର କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଓ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଥିଲେ। ଏଥିସହ ଜିଲ୍ଲାର ବହୁ ସଂଗଠନ ମଧ୍ୟ ଏ ନେଇ ଆନ୍ଦୋଳନ କରିଥିଲେ। ବିମାନବନ୍ଦର ପାଇଁ ପ୍ରତିରକ୍ଷା ବିଭାଗ ଜମି ହସ୍ତାନ୍ତର କରିବାକୁ ସବୁଜ ସଙ୍କେତ ଦେବା ପରେ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ। ଏହି ବିମାନଘାଟି ପ୍ରତିରକ୍ଷା ଆବଶ୍ୟକତାକୁ ପୂରଣ କରିବା ସହ ବେସାମରିକ ଉଡ଼ାଣ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ବୋଲି ସେ କହିଛନ୍ତି।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……