Report Card Odisha

| Daily Odia News

ଜଳିଗଲା ଭ୍ୟାନ୍‌, ୨୬ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତର ମେକ୍ସିକୋର ଟାମୁଲିପାସ୍‌ରେ ଗତକାଲି ସକାଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ମାଲବାହୀ ଟ୍ରକ୍‌ ଓ ଭ୍ୟାନ୍‌ ମଧ୍ୟରେ ଦୁର୍ଘଟଣା ଘଟିବା ସହ ନିଆଁ ଲାଗିଯିବାରୁ ୨୬ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ବହୁ ଛୋଟ ଛୁଆ ଥିବା ଜଣାଯାଇଛି । ସ୍ଥାନୀୟ ପୁଲିସ୍‌ ସୂଚନା ଅନୁଯାୟୀ, ଭ୍ୟାନଟି ଏକ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀର ହୋଇଥିବା ବେଳେ କିଛି ଲୋକ ତାହାକୁ ଭଡ଼ାରେ ନେଇ ଛୁଟି କାଟିବାକୁ ଯାଇଥିଲେ। ସେମାନେ ଛୁଟିରୁ ଫେରୁଥିବା ବେଳେ ଗତକାଲି ସକାଳେ ଏହି ଦୁର୍ଘଟଣା ଘଟିଛି। ଭ୍ୟାନ୍‌ଟି ଜାତୀୟ ରାଜପଥରେ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ଗାଡ଼ିଗୁଡ଼ିକରେ ନିଆଁ ଲାଗି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ବହୁ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମେକ୍ସିକୋର ବାସିନ୍ଦା ହୋଇଥିବା ଜଣାଯାଇଛି। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍‌ଟି ପଳାଇ ଯାଇଥିବା ବେଳେ ତା’ ଡ୍ରାଇଭରଙ୍କ ସମ୍ପର୍କରେ ପତ୍ତା ମିଳିପାରିନି। ସ୍ଥାନୀୟ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଟ୍ରକ୍‌ଟିକୁ ଖୋଜିବା ଆରମ୍ଭ କରିଛି।

Breaking News