ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କ୍ରାଇମବ୍ରାଞ୍ଚ୍ ନିକଟରେ ହାଜର ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା | ଲଖିମପୁର ଖେରିରେ ଘଟିଥିବା ହିଂସା ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟଣାକୁ ନେଇ ପୋଲିସର ନିଷ୍କ୍ରିୟତା ବିରୁଦ୍ଧରେ ବିଭିନ୍ନ ମହଲରେ ସ୍ୱର ଉତ୍ତୋଳନ କରାଯାଉଥିବାବେଳେ ଶେଷରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ତଥା ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଆଶିଷ ମିଶ୍ର ଶନିବାର ସକାଳେ କ୍ରାଇମ ବ୍ରାଞ୍ଚ ନିକଟରେ ହାଜର ହୋଇଥିବା ସୂଚନା ମିଳିଛି । ପୋଲିସ ତାଙ୍କୁ ପଚରା ଉଚରା କରିବାକୁ ଶୁକ୍ରବାର ଦିନ ହାଜର ହେବାକୁ ସମନ ପଠାଇଥିଲେ ମଧ୍ୟ ସେ ହାଜର ହୋଇନଥିଲେ । ଏହାକୁ ନେଇ ଦେଶର ସର୍ବୋଚ୍ଚ ଅଦାଲତ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଏହାର ଆଶିଷଙ୍କ ବିରୁଦ୍ଧରେ ପୁଲିସ ପକ୍ଷରୁ ସାନି ନୋଟିସ ପଠାଯାଇ ତାଙ୍କୁ ଶନିବାର ଦିନ ହାଜର ହେବାକୁ କୁହାଯାଇଥିଲା । ସେହି ଆଧାରରେ ସେ ଶନିବାର ପୂର୍ବାହ୍ନ ୧୧ଟାରେ କ୍ରାଇମ ବ୍ରାଞ୍ଚ ନିକଟରେ ପହଞ୍ଚିଥିଲେ । ପୂର୍ବରୁ ତାଙ୍କ ବାପା ଅଜୟ ମିଶ୍ର କହିଥିଲେ ଯେ ଆଶିଷ ସୁସ୍ଥ ଅନୁଭବ କରୁନଥିବାରୁ ସେ ଶୁକ୍ରବାର ଦିନ ହାଜର ହୋଇପାରିନାହିଁ । ତେବେ ସେ ନିଶ୍ଚିତ ଭାବରେ ହାଜର ହେବ । ଆଇନ ଉପରେ ତାଙ୍କର ଦୃଢ ବିଶ୍ୱାସ ରହିଛି । ସେମାନେ ତଦନ୍ତ ପ୍ରକ୍ରିୟା ସହିତ ପୂର୍ଣ୍ଣ ସହଯୋଗ କରିବେ । ଆଶିଷ ମିଶ୍ର ପୁଲିସ ନିକଟରେ ହାଜର ହେବା ପୂର୍ବରୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ସୂଚନାଯୋଗ୍ୟ ଯେ କୃଷକଙ୍କ ଉପରେ ଗାଡି ଚଢାଇ ଚାରିଜଣଙ୍କୁ ମାରି ଦିଆଯିବା ଘଟଣାରେ ଦିଆଯାଇଥିବା ଏତଲାରେ ଆଶିଷଙ୍କ ନାମ ରହିଛି । କୃଷକମାନେ ଦାବି କରିଛନ୍ତି ଯେ କୃଷକଙ୍କ ଉପରେ ମାଡି ଯାଇଥିବା ଗାଡିଗୁଡିକ ମଧ୍ୟରୁ ଗୋଟିକରେ ଆଶିଷ ମିଶ୍ର ରହିଥିଲେ । ତେବେ ଏହାକୁ ଉଭୟ ଆଶିଷ ଓ ତାଙ୍କ ବାପା ଅଜୟ ମିଶ୍ର ଦୃଢ ଭାବରେ ଖଣ୍ଡନ କରିବା ସହିତ କହିଆସୁଛନ୍ତି ଯେ ଆଶିଷ ସେଠାରେ ଉପସ୍ଥିତ ନଥିଲେ ।
Discussion about this post