ରିପୋର୍ଟ କାର୍ଡ / ଭୁବନେଶ୍ୱର
ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ ଆସିବାର ୨୪ଘଣ୍ଟା ପୂର୍ବରୁ ବିଧାନସଭା ବାଚସ୍ପତିଙ୍କ ସମେତ ରାଜ୍ୟର ଦୁଇ ରାଷ୍ଟ୍ରମନ୍ତ୍ରୀ ଇସ୍ତଫା ଦେବା ନେଇ ରାଜନୀତିକ ହଟଚମଟ ଲାଗି ରହିଥିବାବେଳେ ଆଉ କିଛି ମନ୍ତ୍ରୀ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । କିଛି ମନ୍ତ୍ରୀଙ୍କୁ ୨୦ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ନଛାଡ଼ିବା ପାଇଁ ଅଲିଖିତ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ବାଚସ୍ପତି ପଦରୁ ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ ଏବଂ ମନ୍ତ୍ରୀ ପଦରୁ ସମୀର ରଞ୍ଜନ ଦାଶ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେବା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ହଟଚମଟ ଲାଗିରହିଛି। ନବ ଦାସଙ୍କ ହତ୍ୟା ପରେ ଖାଲି ପଡ଼ିଥିବା ଗୋଟିଏ ମନ୍ତ୍ରୀ ପଦ ସହ ମୋଟ ୩ଟି ମନ୍ତ୍ରୀକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛୋଟଧରଣର ସମ୍ପ୍ରସାରଣ କରିବେ ବୋଲି ବିଜେଡି ମହଲରେ ଚର୍ଚ୍ଚା ହେଉଥିବାବେଳେ ଏବେ ଆଉ ୨ରୁ ୩ଜଣ ମନ୍ତ୍ରୀଙ୍କୁ ଭୁବନେଶ୍ୱର ନଛାଡ଼ିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି । ରାଜଭବନରୁ ମିଳିଥିବା ସୂଚନା ଅନୁସାରେ, ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଏପର୍ଯ୍ୟନ୍ତ ରାଜ୍ୟ ସରକାର କିମ୍ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୌଣସି ସୂଚନା ଆସିନାହିଁ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ରାଜ୍ୟ ବାହାରେ ରହିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ଯଦି ସମୟ ନିର୍ଦ୍ଧାରିତ ହୁଏ, ତାଙ୍କର ଭୁବନେଶ୍ୱର ଫେରିବାରେ ସମସ୍ୟା ନାହିଁ । ନଚେତ୍ ରାଜ୍ୟପାଳ ୨୨ତାରିଖରେ ଭୁବନେଶ୍ୱର ଫେରିବେ ବୋଲି ରାଜଭବନ ପକ୍ଷରୁ ଜଣାପଡ଼ିଛି । ସେହିପରି ଗତକାଲିଠାରୁ ଭୁବନେଶ୍ୱରରୁ ଦୁବାଇ ସିଧାସଳଖ ଆନ୍ତର୍ଜାତିକ ବିମାନ ସେବା ଆରମ୍ଭ ହେଉଥିବାବେଳେ ଦୁବାଇରେ ‘ଓଡ଼ିଶା ଦିବସ’ ସମାରୋହରେ ରାଜ୍ୟର ବିଭିନ୍ନ ବର୍ଗର ପ୍ରତିନିଧି, ବିଜେଡି ବିଧାୟକମାନଙ୍କ ସମେତ ସରକାରୀ ଅଫିସରମାନେ ସାମିଲ ହେବାକୁ ଦୁବାଇ ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ମଧ୍ୟ ଦୁବାଇ ଗସ୍ତରେ ଯାଇଛନ୍ତି ଓ ସେ ୧୯ରେ ଫେରିବାର କାର୍ଯ୍ୟକ୍ରମ ରହିଛି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ମେ’ ୧୯ତାରିଖ ପରେ ଓ ମେ’ ୨୯ ତାରିଖ(ସରକାରର ୪ର୍ଥ ବର୍ଷ ପୂର୍ତ୍ତି ) ପୂର୍ବରୁ ହେବାର ସମ୍ଭାବନା ରହିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..