Report Card Odisha

| Daily Odia News

ଅବସର ନେଲେ ମିତାଲି ରାଜ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟରରୁ ଅବସର ନେଇଛନ୍ତି। ମହିଳା ଦିନିକିଆରେ ସର୍ବାଧିକ ରନ ହାସଲ କରିବାର ରେକର୍ଡ ମିତାଲିଙ୍କ ନାଁରେ ରହିଛି। ଆଜି ସେ ଟ୍ୱିଟ କରି ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, “ଦୀର୍ଘ ବର୍ଷ ହେଲା ଆପଣମାନଙ୍କ ସହଯୋଗ ଓ ସମର୍ଥନ ପାଇଁ ଧନ୍ୟବାଦ। ମୁଁ ଆପଣମାନଙ୍କ ସମର୍ଥନ ଓ ଆର୍ଶୀବାଦ ସହ ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛି।” ସେ ସ୍ୱତନ୍ତ୍ର ଭାବେ ବିସିସିଆଇ ଓ ସମ୍ପାଦକ ଜୟ ଶାହଙ୍କୁ ଧନ୍ୟବାଦ ଦେଇଛନ୍ତି। ପ୍ରଥମେ ଖେଳାଳି ଓ ପରେ ଭାରତୀୟ ମହିଳା ଟିମ୍‌ କ୍ୟାପ୍ଟେନ ଭାବେ ମୋତେ ବହୁତ ସମର୍ଥନ ମିଳିଛି। ଭାରତର ନେତୃତ୍ୱ ଦୀର୍ଘ ବର୍ଷ ଧରି ନେବା ଗର୍ବର ବିଷୟ। ମୋ ୨୩ ବର୍ଷର ଯାତ୍ରା ସମ୍ଭବତଃ ଶେଷ ହୋଇ ଯାଇଛି। କିନ୍ତୁ ମୁଁ ଯେଉଁ ଖେଳକୁ ଏତେ ଭଲ ପାଉଛି, ନିଶ୍ଚିତ ତା’ ସହ ଯୋଡ଼ି ହୋଇ ରହିବି। ଭାରତ ତଥା ବିଶ୍ୱରେ ମହିଳା କ୍ରିକେଟର ଉନ୍ନତି ପାଇଁ ମୁଁ ଯଥା ସମ୍ଭବ ଚେଷ୍ଟା କରିବି ବୋଲି ମିତାଲି କହିଛନ୍ତି। ଭାରତ ପାଇଁ ସେ ୨୩୨ଟି ମ୍ୟାଚ୍‌ ଖେଳି ୫୦.୬୮ ହାରରେ ୭୮୦୫ ରନ୍ କରିଛନ୍ତି। ଏଯାଏ ତାଙ୍କୁ ରେକର୍ଡକୁ ବିଶ୍ୱର କୌଣସି ମହିଳା କ୍ରିକେଟର ଅତିକ୍ରମ କରି ପାରି ନାହାନ୍ତି। ନିକଟରେ ନ୍ୟୁଜିଲ୍ୟାଣ୍ଡରେ ଖେଳା ଯାଉଥିବା ଦିନିକିଆ ମହିଳା ବିଶ୍ୱକପରେ ମିତାଲି ରାଜ ଭାରତର କମାଣ ସମ୍ଭାଳିଥିଲେ। ୧୯୯୯ ମସିହା ଜୁନ୍‌ ମାସରେ ମିତାଲି ଆୟର୍ଲ୍ୟାଣ୍ଡ ବିପକ୍ଷରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ଦୀର୍ଘ ୨ ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ମହିଳା କ୍ରିକେଟର ସଦସ୍ୟ ଓ କ୍ୟାପ୍ଟେନ ହୋଇଥିବା ମିତାଲି ଅନେକ ରେକର୍ଡର ଅଧିକାରୀ। ତାଙ୍କ କ୍ୟାପ୍ଟେନ୍ସିରେ ଭାରତୀୟ ମହିଳା ଦଳ ୨୦୧୭ ବିଶ୍ୱକପ ଫାଇନାଲ ଖେଳିଥିଲା। ତେବେ ଇଂଲଣ୍ଡ ଠାରୁ ଦଳ ହାରି ଯାଇଥିଲା। ୨୦୦୫ ମସିହା ଦିନିକିଆ ମହିଳା ବିଶ୍ୱକପ ଫାଇନାଲରେ ଭାରତ ପ୍ରତିପକ୍ଷ ଅଷ୍ଟ୍ରେଲିଆ ଠାରୁ ହାରିଥିଲା। ଏହି ସମୟରେ ମଧ୍ୟ ମିତାଲି ଦଳର କ୍ୟାପ୍ଟେନ ଥିଲେ।

 

 

 

Breaking News