Report Card Odisha

| Daily Odia News

ସୁବାସ ପାଣିଗ୍ରାହୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଗିରଫ ବରିଷ୍ଠ ବିଜେପି ନେତା ତଥା ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଜାମିନ ମିଳିଛି। ବିଧାୟକ ଓ ତାଙ୍କ ଦୁଇ ସହଯୋଗୀଙ୍କୁ ମଧ୍ୟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ଜିଲ୍ଲା ଜଜ୍ । ସମସ୍ତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଓ ବ୍ୟକ୍ତିଗତ ମୁଚାଲିକାରେ ଜାମିନ ମିଳିଥିବା ଜଣାଯାଇଛି। ଉଲ୍ଲେଖ ଯୋଗ୍ୟ ମେ’ ୧ ତାରିଖ ଶନିବାର ଦିନ ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ଏତଲା ଆଧାରରେ ଦେବଗଡ଼ ପୋଲିସ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ ସରକାରୀ ବାସଭବନରୁ ଗିରଫ କରିଥିଲା। ବିଧାୟକଙ୍କ ସହିତ ତାଙ୍କ ଦୁଇ ଜଣ ସହଯୋଗୀ ଅକାଳୁ ଧଳ ଓ କୁମରମଣି ସାହୁଙ୍କୁ ମଧ୍ୟ ଗିରଫ କରାଯାଇଥିଲା।ରବିବାର ଜାମିନ ନାମଞ୍ଜୁର ହୋଇଯିବାରୁ ବିଧାୟକଙ୍କୁ ୭ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ବେଳେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସେହି ଦିନ ରାତିରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା।ବିଡ଼ିଓଙ୍କ ଅଭିଯୋଗ ଅନୁସାରେ, ଗତ ଶନିବାର ତିଳେଇବଣି ବିଡିଓଙ୍କୁ ଦେଖା କରିବାକୁ ଚାହୁଁଥିଲେ ବିଧାୟକ। ଏନେଇ ବିଡିଓଙ୍କୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା। ତେବେ ବିଡିଓ କାମ ସାରି ଦେଖା କରିବେ ବୋଲି କହିଥିଲେ। ହେଲେ କିଛି ସମୟ ପରେ ବିଧାୟକ ୧୦ରୁ ଅଧିକ ସମର୍ଥକଙ୍କ ସହ ପହଞ୍ଚି ତାଙ୍କୁ ମାଡ଼ ମାରିଥିଲେ। ତିଳେଇବଣି ବିଡିଓଙ୍କ ଏହି ଅଭିଯୋଗ ଆଧାରରେ, ପୁଲିସ ହତ୍ୟା ଉଦ୍ୟମ ସମେତ ଏକାଧିକ ଆଇପିସି ଧାରା ଓ ଏସସି-ଏସଟି ଆକ୍ଟ ଲଗାଇ ବିଧାୟକଙ୍କୁ ଗିରଫ କରିଥିଲା। ବିଧାୟକ ମଧ୍ୟ ବିଡିଓଙ୍କ ବିରୋଧରେ ଆକ୍ରମଣ ଓ ଦୁର୍ବ୍ୟବହାର ଏତଲା ଦେଇଥିଲେ।

 

Breaking News