ରିପୋର୍ଟ କାର୍ଡ / ଭୁବନେଶ୍ବର
ଓଡ଼ିଶାରେ ଏଥର ନିଶ୍ଚିତ ବିଜେପି ସରକାର ଗଢ଼ିବ। ଲୋକ ବିଜେପି ସରକାର ଚାହୁଁଛନ୍ତି। ଏଥିପାଇଁ କେନ୍ଦ୍ରୀୟ ନେତୃତ୍ବ ପୂରା ଦମ୍ ଲଗାଇବେ। ସବୁ ପ୍ରକାରର ସହଯୋଗ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫୋକସ୍ରେ ବି ଓଡ଼ିଶା ଅଛି। ମୁଁ ୪ଥର ଓଡ଼ିଶାକୁ ପ୍ରଚାରରେ ଆସିବି। ଆବଶ୍ୟକ ପଡ଼ିଲେ ଏହାଠୁ ଅଧିକ ଥର ଆସିବି। ଯେମିତି ହେଉ ଏଥର ଓଡ଼ିଶାରେ ବିଜେପି ସରକାର ହେବ ବୋଲି ଅମିତ ଶାହ ଦଳର ଲୋକସଭା ପ୍ରାର୍ଥୀ ଓ ବିଧାନସଭା ପ୍ରାର୍ଥୀମାନଙ୍କୁ କହିଛନ୍ତି। ସୋନପୁରରୁ ଫେରିବା ପରେ ଶ୍ରୀ ଶାହ ସିଧା ପୁରୀ ବାଇପାସ୍ରେ ଥିବା ଏକ ମଣ୍ଡପକୁ ଯାଇ ସେଠାରେ ଦଳର ପ୍ରାର୍ଥୀ ଓ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଏଥିରେ ବ୍ରହ୍ମପୁର, ଆସିକା, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଲୋକସଭା ଆସନର ପ୍ରାର୍ଥୀ ଏବଂ ଏହା ଅଧୀନସ୍ଥ ସମସ୍ତ ବିଧାନସଭା ଆସନର ଘୋଷିତ ଏବଂ ଆଶାୟୀ ପ୍ରାର୍ଥୀ ଯୋଗଦେଇଥିଲେ। ସେମାନଙ୍କୁ ଶାହ ଦୃଢତାର ସହ କହିଥିଲେ ଯେ ଆମେ ଏଥର ଓଡ଼ିଶାରେ ସରକାର ଗଢ଼ୁଛୁ। ସବୁ ସର୍ଭେ ଆମ ସପକ୍ଷରେ ଅଛି। ଆପଣମାନେ ଲୋକଙ୍କ ସହ ରୁହନ୍ତୁ। ଗତ ନିର୍ବାଚନରେ ଆମେ ୩୪% ଭୋଟ୍ ପାଇଥିଲୁ। ବହୁ ସ୍ଥାନରେ ଆମ ପ୍ରାର୍ଥୀ ଅଳ୍ପ ଭୋଟ୍ରେ ହାରିଥିଲେ। ତେଣୁ ଏଥର ଭୋଟ୍ ହାର ବଢ଼ିବା ସହ ଆମେ ଜିତିଛୁ। ଅବ୍ କି ବାର୍ ୪୦୦ ପାର୍ କଥା ମୋଦୀ ବୁଝୁଛନ୍ତି। ଆପଣମାନେ ଓଡ଼ିଶାରେ ସରକାର ଗଢ଼ିବା ପାଇଁ ପ୍ରୟାସ କରନ୍ତୁ ବୋଲି ଶାହ କହିଛନ୍ତି। ଏହାସହ ଶାହ କହିଛନ୍ତି ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ ନେଇ ବିଜେଡି ନେତାମାନେ ଦ୍ବନ୍ଦ୍ବ ସୃଷ୍ଟି କରୁଥିଲେ। ସେମାନେ ମେଣ୍ଟ ଚାହୁଁଥିଲେ। ହେଲେ ଆମେ ଏକାକୀ ଓଡ଼ିଶାରେ ସରକାର ଗଢ଼ିବାକୁ ଆଗ୍ରହ ଦେଖାଇଛୁ। ନିଶ୍ଚିତ ସରକାର ଗଢ଼ିବୁ। ଏହି ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ପ୍ରଭାରୀ ସୁନିଲ ବଂଶଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଓ କେତେକ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଆଜି ରାତିରେ ଶାହ ଭୁବନେଶ୍ବରରେ ରାତ୍ରିଯାପନ କରିବାର ଥିଲେ ହେଁ ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ କରି ନୂଆଦଲ୍ଲୀ ଫେରିଯାଇଛନ୍ତି।






More Stories
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….