Report Card Odisha

| Daily Odia News

ଖୋଲିବ ‘ମୋଦୀ ସମ୍ବାଦ କେନ୍ଦ୍ର’…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଜେପିର ମିସନ ୨୦୨୪ରେ ତୃଣମୂଳସ୍ତରରୁ ଲୋକମାନଙ୍କୁ ଯୋଡ଼ିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ବିଜେପିର ଶୀର୍ଷ ନେତୃତ୍ବ ‌ପ୍ରତ୍ୟେକ ଲୋକସଭା କ୍ଷେତ୍ରର ଲୋକମାନଙ୍କ ସହିତ ସିଧାସଳଖ ଯୋଡ଼ିହେବା ପାଇଁ ‘ମୋଦୀ ସମ୍ବାଦ କେନ୍ଦ୍ର’ ଖୋଲିବା ଲାଗି ନିଷ୍ପତ୍ତି ନେଇଥିବା ଜଣାପଡିଛି। ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟରେ ସମସ୍ତ ଲୋକସଭା କ୍ଷେତ୍ରରେ ଏହା ଖୋଲାଯିବ। ପ୍ରତ୍ୟେକ ସମ୍ବାଦ କେନ୍ଦ୍ରରେ ୫ଟି ଲେଖାଏଁ କମ୍ପ୍ୟୁଟର ଅପରେଟର ଓ ଟେଲିଫୋନରେ ଲୋକମାନଙ୍କ ସହିତ ବିଚାରବିମର୍ଶ କରିବା ପାଇଁ କର୍ମଚାରୀଙ୍କୁ ରଖାଯିବ, ଯେଉଁମାନେ ଲୋକମାନଙ୍କୁ ଫୋନ କରି ସେମାନଙ୍କଠାରୁ ମୋଦୀ ସରକାରଙ୍କ ବିଭିନ୍ନ ପଦକ୍ଷେପ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ତୃଣମୂଳସ୍ତରରେ ପ୍ରଭାବ ସଂପର୍କରେ ସୂଚନା ଏକତ୍ରିତ କରିବେ।‌ ଏହାପ‌ରେ ରିପୋର୍ଟ ପ୍ରସ୍ତୁତ କରାଯାଇ ଦିଲ୍ଲୀ ପଠାଯିବ। ଏଥି ସହିତ ଲୋକସଭା କ୍ଷେତ୍ରର ବିଜେପିର ବର୍ତ୍ତମାନ ସାଂସଦଙ୍କ ସମ୍ପର୍କରେ ରିପୋର୍ଟ ମଧ୍ୟ ନିଆଯିବ। ଯଦି ଅନ୍ୟ ଦଳର ସାଂସଦ ସେଠାରୁ ପ୍ରତିନିଧିତ୍ବ କରୁଥିବେ ତେବେ କ୍ଷେତ୍ରର ସ୍ଥିତି କିଭଳି ରହିଛି ତାହାର ରିପୋର୍ଟ ମଧ୍ୟ ନିଆଯାଇ ବିଜେପିର ଶୀର୍ଷ ନେତୃତ୍ବଙ୍କୁ ପଠାଯିବ। ଲୋକସଭା କ୍ଷେତ୍ରରୁ ବିଜେପି ସାଂସଦଙ୍କ ରିପୋର୍ଟ ତାଙ୍କର ଆଗାମୀ ନିର୍ବାଚନରେ ଟିକଟ ପରିପ୍ରେକ୍ଷୀରେ ମଧ୍ୟ ବିଚାରକୁ ନିଆଯାଇପାରେ। ବିଜେପି ଶୀର୍ଷ ନେତୃତ୍ବ ଦେଶରେ ଖୋଲାଯିବାକୁ ଥିବା ମୋଦୀ ସମ୍ବାଦ କେନ୍ଦ୍ରର ସଂଚାଳନା ଓ ମନିଟରିଂ ପାଇଁ ଏକ ବଡ଼ ଟିମ୍ ଗଠନ କରିଛନ୍ତି। ଏହି ଟିମ୍‌ରେ ସାମ୍ବାଦିକ, ଏନ୍‌ଜିଓ ସହିତ ଅନ୍ୟ ସେକ୍ଟରର ଲୋକମାନଙ୍କୁ ସାମିଲ କରାଯାଇଛି। ମୋଦୀ ସମ୍ବାଦ କେନ୍ଦ୍ରର ମନିଟରିଂ ଦିଲ୍ଲୀର ବିଜେପି ମୁଖ୍ୟାଳୟରୁ କରାଯିବ। ଲୋକସଭା କ୍ଷେତ୍ରରୁ ପ୍ରତ୍ୟେକ ଦିନର ରିପୋର୍ଟର ସମୀକ୍ଷା କରାଯିବା ସହିତ ଲୋକସଭା ନିର୍ବାଚନ ଦୃଷ୍ଟିରୁ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି।

Breaking News