Report Card Odisha

| Daily Odia News

ନବୀନଙ୍କ ପାଇଁ ଚିନ୍ତିତ ମୋହନ, ଫୋନରେ କଥା ହେଲେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆସନ୍ତା ୨୦ ତାରିଖରେ ଚିକିତ୍ସା ପାଇଁ ମୁମ୍ବାଇ ଯିବେ। ୨୨ ତାରିଖରେ କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ। ନବୀନଙ୍କ ବ୍ୟକ୍ତିଗତ ଚିକିତ୍ସକ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇଠାରେ ତାଙ୍କର ଚିକିତ୍ସା ବ୍ୟବସ୍ଥାର ସମସ୍ତ କାର୍ଯ୍ୟ ତଦାରଖ କରିବେ। ନବୀନ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏହା ପୋଷ୍ଟକରି ସୂଚନା ଦେଇଛନ୍ତି। ସେ ସେଥିରେ ଆହୁରି ଉଲ୍ଲେଖ କରିଛନ୍ତି, ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ସର୍ଭିକାଲ ଅଥେର୍‌ରାଟିସ୍‌ ଚିକିତ୍ସା ଲାଗି ସେ କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଯିବେ। ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶାର ଭଉଣୀଭାଇଙ୍କ ସଦିଚ୍ଛା ତାଙ୍କ ସାଙ୍ଗରେ ରହିଛି। ତୁରନ୍ତ ଭଲ ହୋଇ ସେ ତାଙ୍କ ସେବା କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନଙ୍କ ଅସୁସ୍ଥତା ବିଷୟରେ ଜାଣି ଚିନ୍ତାବ୍ୟକ୍ତ କରିଛନ୍ତି। ତାଙ୍କର ଚିକିତ୍ସା ପ୍ରକ୍ରିୟା ସୁରୁଖୁରୁରେ ସମ୍ପନ୍ନ ହେଉ ଏବଂ ଆଶୁ ଆରୋଗ୍ୟ ଲାଭକରି ଉତ୍ତମ ସ୍ବାସ୍ଥ୍ୟ ଲାଭକରନ୍ତୁ ବୋଲି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ବୋଲି ସେ ତାଙ୍କ ଏକ୍ସରେ ଉଲ୍ଲେଖ କରିଛନ୍ତି। ପରେ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତାଙ୍କ ସହ ଟେଲିଫୋନ୍‌ ଯୋଗେ କଥା ହେବା ସହ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମାନନୀୟ ବିରୋଧୀ ଦଳର ନେତାଙ୍କ ସହ କଥା ହୋଇ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଅବଗତ ହେଲି । ଆସନ୍ତା ୨୨ ତାରିଖରେ ସେ ମୁମ୍ବାଇରେ ଚିକିତ୍ସିତ ହେବେ । ତାଙ୍କର ଚିକିତ୍ସା ପ୍ରକ୍ରିୟା ସଫଳ ହେବା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ଶୀଘ୍ର ସୁସ୍ଥ କରନ୍ତୁ ବୋଲି ପ୍ରାର୍ଥନା କରୁଛି। ଚିକିତ୍ସା ସମୟରେ ତାଙ୍କ ଅନୁପସ୍ଥିତିରେ ଦଳର ଦୈନନ୍ଦିନ କାର୍ଯ୍ୟକ୍ରମ ରାଜନୈତିକ ପରିଚାଳନା କମିଟି(ପିଏସି) ଦ୍ୱାରା ପରିଚାଳିତ ହେବ। ବରିଷ୍ଠ ଉପସଭାପତି(ମୁଖ୍ୟାଳୟ) ଦେବୀପ୍ରସାଦ ମିଶ୍ର ଦଳର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସଂଯୋଜନା ରଖିବେ।

Breaking News