Report Card Odisha

| Daily Odia News

ଧରା ପଡିଲେ ୨ ହତ୍ୟାକାରୀ ମାଙ୍କଡ଼,ନେଇଛନ୍ତି ୨୫୦ରୁ ଅଧିକ କୁକୁର ଛୁଆଙ୍କ ଜୀବନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗୋଟିଏ ମାଙ୍କଡର ଜୀବନ ବଦଳରେ ୨୫୦ରୁ ଅଧିକ କୁକୁର ଛୁଆଙ୍କୁ ମାରି ଦେଇଛନ୍ତି ୨ ମାଙ୍କଡ଼ | ଏହି ଦୁଇ ହତ୍ୟାକାରୀ ମାଙ୍କଡ ପିଞ୍ଜରାରେ ଧରା ପଡିଛନ୍ତି । ସୂଚନା ମୁତାବକ, ମହାରାଷ୍ଟ୍ରର ବିଡ୍‌ ଜିଲ୍ଲା ମାଜାଲଗାଓଁ ଅଞ୍ଚଳରେ କିଛି କୁକୁର ଗୋଟିଏ ଛୁଆ ମାଙ୍କଡକୁ ଝୁଣିଝୁଣି ମାରିଦେବା ପରେ ପ୍ରତିଶୋଧ ପରାୟଣ ହୋଇଉଠିଥିଲେ ମାଙ୍କଡମାନେ । ଗ୍ରାମବାସୀଙ୍କ କହିବା ଅନୁସାରେ, ମାଙ୍କଡମାନେ ପ୍ରତିଶୋଧ ନେବାପାଇଁ କୁକୁରମାନଙ୍କୁ ଟାର୍ଗେଟ କରିଥିଲେ । ସେହି ଅଞ୍ଚଳରେ ଗତ ମାସେ ହେଲାଣି ଯେତେ ସବୁ କୁକୁର ଏବଂ କୁକୁର ଛୁଆ ଦେଖୁଛନ୍ତି ସେମାନଙ୍କୁ ଗଛ ଉପରକୁ ନେଇ ତଳକୁ ଫିଙ୍ଗି ଦେଉଥିଲେ । ଯାହାଫଳରେ ସେମାନଙ୍କର ମୃତ୍ୟୁ ହୋଇ ଯାଉଥିଲା । ଏମିତିକି ଛୋଟ ଛୋଟ ଶିଶୁ ଯେଉଁମାନେ କି ସ୍କୁଲ ଯାଉଛନ୍ତି ସେମାନଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ମାଙ୍କଡ । କୁକୁରଙ୍କୁ ରକ୍ଷା କରିବାକୁ ଯାଉଥିବା ସ୍ଥାନୀୟ ଲୋକେ ବି ମାଙ୍କଡ ରୋଷର ଶିକାର ହେଉଥିଲେ । ଏବେବି ଏହି ଆତଙ୍କ ଜାରି ରହିଛି ଏଭଳି ପ୍ରତିଶୋଧ ପରାୟଣ ହେବା ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି | ଗ୍ରାମବାସୀମାନେ ଏ ନେଇ ଜଙ୍ଗଲ ବିଭାଗକୁ ଖବର ଦେବା ସହ ସ୍ଥାନୀୟ ଅଞ୍ଚଳରୁ ମାଙ୍କଡମାନଙ୍କୁ ଧରିବା ପାଇଁ ଦାବି କରିଥିଲେ । ଜଙ୍ଗଲ ବିଭାଗ ପକ୍ଷରୁ କିଛି ଗାର୍ଡଙ୍କୁ ପଠାଯାଇ ମାଙ୍କଡମାନଙ୍କୁ ଧରିବା ପାଇଁ ପ୍ରୟାସ କରାଯାଇଥିଲା । ଶେଷରେ ଦୁଇଟି ମାଙ୍କଡଙ୍କୁ ଧରିବାରେ ସଫଳ ହୋଇଛନ୍ତି ବନ କର୍ମଚାରୀ । ୨ ମାଙ୍କଡଙ୍କୁ ଜଙ୍ଗଲରେ ଛାଡି ଦିଆଯିବ ।

Breaking News