Report Card Odisha

| Daily Odia News

ଭାରତରେ ମଙ୍କିପକ୍ସ ସନ୍ଦିଗ୍ଧଙ୍କ ରକ୍ତ ନମୁନା ପଜିଟିଭ୍‌….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତର ପ୍ରଥମ ସନ୍ଦିଗ୍ଧ ଏମ୍‌ପକ୍ସ ରୋଗୀ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ହସ୍ପିଟାଲରେ ଏକାନ୍ତବାସରେ ରଖାଯାଇ ତାଙ୍କୁ ଚିକିତ୍ସିତ କରାଯାଉଛି। ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ତେବେ ଏହା ଏକ ଭ୍ରମଣଜନିତ ସଂକ୍ରମଣ। ଲାବରେଟୋରି ପରୀକ୍ଷାରେ ସଂପୃକ୍ତ ବ୍ୟକ୍ତିଙ୍କ ଠାରେ ପଶ୍ଚିମ ଆଫ୍ରିକୀୟ କ୍ଲାଡ୍‌-୨ର ଏମ୍‌ପକ୍ସ ଷ୍ଟ୍ରେନ୍‌ର ଭୂତାଣୁ ରହିଥିବା ସୂଚନା ମିଳିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ୨୦୨୨ ଜୁଲାଇରୁ ଭାରତରେ ଏପ୍ରକାର ୩୦ଟି ଏମ୍‌ପକ୍ସ ମାମଲା ଚିହ୍ନଟ ହୋଇଛି। ଆଶ୍ବାସନାର ବିଷୟ ହେଲା କ୍ଲାଡ-୧ ଏମ୍‌ପକ୍ସ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଯେଉଁ ଜରୁରୀକାଳୀନ ଜନସ୍ବାସ୍ଥ୍ୟ ସ୍ଥିତି ଜାରି କରିଛି ଏହା ସେହି ଷ୍ଟ୍ରେନ ନୁହେଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଏମ୍‌ପକ୍ସରେ ଆକ୍ରାନ୍ତ ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ଯୁବକ। ନିକଟରେ ସେ ବିଦେଶ ଗସ୍ତ‌ କରିବା ସମୟରେ ଏହି ରୋଗରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ଏକ ଡାକ୍ତରଖାନାରେ ଏକାନ୍ତବାସରେ ରଖାଯାଇ ଚିକିତ୍ସା କରାଯାଉଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ତାଙ୍କଠାରେ କୌଣସି ଅସୁସ୍ଥତା କିମ୍ବା ପୂର୍ବରୁ କୌଣସି ପ୍ରକାର ଜଟିଳ ରୋଗ ନାହିଁ। ‌ବ୍ୟବସ୍ଥା ଅନୁସାରେ ସଂପୃକ୍ତ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏଥିସହିତ ସଂସ୍ପର୍ଶ ଠାବ (କଣ୍ଟାକ୍ଟ ଟ୍ରେସିଂ) ଓ ଅନୁଧ୍ୟାନ କରାଯାଉଛି। ରୋଗ ଯେଭଳି ନବ୍ୟାପିବ ସେଥିପାଇଁ ସକ୍ରିୟ ପଦକ୍ଷେପ ନିଆଯାଇଛି।

Breaking News