ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡିଶାକୁ କୃମିମୁକ୍ତ କରିବାକୁ ପ୍ରୟାସ ଜାରି ରହିଛି। ମହିଳା ଓ ଶିଶୁଙ୍କ ଉନ୍ନତ ସ୍ବାସ୍ଥ୍ୟ, ଠିକ ପୋଷଣ, ଉତ୍ତମ ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଆସନ୍ତା ୧୦ ତାରିଖରେ ଜାତୀୟ କୃମିନାଶକ ଦିବସକୁ ବ୍ୟାପକ ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି। ଉକ୍ତଦିନ ୧ ରୁ ୧୯ ବର୍ଷ ବୟସର ବାଳିକାବାଳକ ଓ ୨୦ରୁ ୨୪ ବର୍ଷର ପ୍ରଜନନକ୍ଷମ ମହିଳାଙ୍କୁ ମିଶାଇ ମୋଟ ଦେଢ଼କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ କୃମିନାଶକ (ଦ୍ରବଣ/ବଟିକା) ଔଷଧ ଦିଆଯିବାର ଲକ୍ଷ୍ୟ ରଖାଯାଇଛି। ନିକଟସ୍ଥ ବିଦ୍ୟାଳୟ ଏବଂ ଅଙ୍ଗଓ୍ବାଡି କେନ୍ଦ୍ରରେ ଶିକ୍ଷକ, ଅଙ୍ଗନଓ୍ବାଡି କର୍ମୀ ଓ ଆଶାକର୍ମୀଙ୍କଠାରୁ ଔଷଧ ଖାଇବେ। ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ଓ ୟୁନିସେଫ ପକ୍ଷରୁ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶିକା ଡା. ସଂଯୁକ୍ତା ସାହୁ ଏହି ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି, ଉକ୍ତ ଦିନ ତଥା ଏହି ମାସରେ ସରକାରୀ ଟିକାକରଣ କେନ୍ଦ୍ର ଓ ସ୍ବତନ୍ତ୍ର ଭିଚ୍ଏନ୍ଡି ପ୍ରୋଗ୍ରାମରେ ୯ ମାସରୁ ୬୦ ମାସ ବୟସର ସମସ୍ତ ପିଲାଙ୍କୁ ବୟସ ମୁତାବକ ଉପଯୁକ୍ତ ମାତ୍ରାରେ ‘ଭିଟାମିନ ଏ’ ଦ୍ରବଣ ମଧ୍ୟ ଦିଆଯିବ। ଯେଉଁମାନେ ୧୦ ତାରିଖରେ ଔଷଧ ଖାଇପାରି ନ ଥିବେ ସେମାନଙ୍କୁ ୧୭ ତାରିଖରେ ପ୍ରଦାନ କରାଯିବ। ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ, କେନ୍ଦ୍ର ସରକାର ଏବଂ ବେସରକାରୀ ବିଦ୍ୟାଳୟ ସହିତ ଅଙ୍ଗନଓ୍ବାନି କେନ୍ଦ୍ର, ପ୍ଲେ ସ୍କୁଲ, ଚାଇଲ୍ଡ କେୟାର ଇନ୍ଷ୍ଟିଚ୍ୟୁଶନ ଓ ଶିକ୍ଷାଭିତ୍ତିକ ଅନୁଷ୍ଠାନରେ କୃମିନାଶକ ଦିବସ ପାଳନ କରାଯିବ।
More Stories
ପ୍ରଫେସର ବୁଲୁ ମହାରଣା ନିଲମ୍ୱିତ…..
ନିଯୁକ୍ତ ହେବେ ସ୍ବାସ୍ଥ୍ୟ କର୍ମୀ,ରହିତାଦେଶ ହଟାଇଲେ ହାଇକୋର୍ଟ…..
ଜାଲ୍ ଦସ୍ତାବିଜ୍ ଦେଇ ଋଣ:ବିଲ୍ଡର ଦମ୍ପତି ଗିରଫ…..