Report Card Odisha

| Daily Odia News

ଚଳନ୍ତା ଟ୍ରେନ୍‌ରୁ ଖସି ପଡ଼ିଲେ ମା’ ଝିଅ…..

ରିପୋର୍ଟ କାର୍ଡ / ରାୟଗଡା

ଚଳନ୍ତା ଟ୍ରେନରେ ଚଢିବା ବେଳେ ଖସି ପଡ଼ି ମା’ ଓ ଶିଶୁ କନ୍ୟା ଗୁରୁତର ହୋଇଛନ୍ତି। ଉଭୟଙ୍କ ହାତ ଓ ଗୋଡ଼ କଟିଯାଇଛି। ଏପରି ଏକ ହୃଦୟ ବିଦାରକ ଘଟଣା ଆଜି ରାୟଗଡ଼ା ଜିଲ୍ଲା ସିଙ୍ଗାପୁରୁ ରୋଡ଼ ରେଳ ଷ୍ଟେସନରେ ଘଟିଛି। ଗୁରୁତର ମା’ ଝିଅ ଦ୍ୱୟ ହେଲେ ଚୈତନ୍ୟ ଚନ୍ଦନାଙ୍କ ପତ୍ନୀ ରତିକା ଚନ୍ଦନା ଓ ତାଙ୍କ ୪ ବର୍ଷର ଝିଅ ହସ୍ତିନା ଚନ୍ଦନା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବାସିନ୍ଦା ଚୈତନ୍ୟ ଚନ୍ଦନା ନିଜ ପତ୍ନୀ ଓ ପିଲାଙ୍କୁ ଧରି ଏକ ଦଶାହ କର୍ମରେ ଯୋଗ ଦେବାକୁ ରାୟଗଡା ଜିଲ୍ଲାର ଜିଞ୍ଜିଲିବାଡ଼ିକୁ ଯାଇଥିଲେ। ସେଠାରୁ ସେମାନେ ଆଜି ସକାଳେ ଫେରୁଥିବା ବେଳେ ସିଙ୍ଗାପୁରୁ ରୋଡ଼ ରେଳ ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି | ସିଙ୍ଗାପୁରୁ ରୋଡ଼ ରେଳ ଷ୍ଟେସନରୁ ଚୈତନ୍ୟ ଚନ୍ଦନା ନିଜ ପତ୍ନୀ ଓ ପିଲାଙ୍କୁ ଧରି ଟ୍ରେନ୍‌ ଚଢ଼ୁଥିଲେ। ମାତ୍ର ହଠାତ୍‌ ଚଳନ୍ତା ଟ୍ରେନରୁ ଉଭୟ ମା’ ଝିଅ ଖସି ପଡ଼ିଥିଲେ। ଦୁର୍ଘଟଣାରେ ରତିକା ଚନ୍ଦନାଙ୍କ ଦୁଇଟି ହାତ ଏବଂ ଗୋଟିଏ ଗୋଡ଼ କଟି ଯାଇଥିବା ବେଳେ ବାମ ଗୋଡ଼ ଭାଙ୍ଗି ଯାଇଛି। ତାଙ୍କର ୪ ବର୍ଷର ଶିଶୁ କନ୍ୟା ହସ୍ତିନା ଚନ୍ଦନାଙ୍କ ଡାହାଣ ହାତ ଓ ଗୋଡ଼ କଟି ଯାଇଛି। ମୁମୁର୍ଷ ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାଯାଇଛି।

Breaking News