ରିପୋର୍ଟ କାର୍ଡ / ରାୟଗଡା
ଚଳନ୍ତା ଟ୍ରେନରେ ଚଢିବା ବେଳେ ଖସି ପଡ଼ି ମା’ ଓ ଶିଶୁ କନ୍ୟା ଗୁରୁତର ହୋଇଛନ୍ତି। ଉଭୟଙ୍କ ହାତ ଓ ଗୋଡ଼ କଟିଯାଇଛି। ଏପରି ଏକ ହୃଦୟ ବିଦାରକ ଘଟଣା ଆଜି ରାୟଗଡ଼ା ଜିଲ୍ଲା ସିଙ୍ଗାପୁରୁ ରୋଡ଼ ରେଳ ଷ୍ଟେସନରେ ଘଟିଛି। ଗୁରୁତର ମା’ ଝିଅ ଦ୍ୱୟ ହେଲେ ଚୈତନ୍ୟ ଚନ୍ଦନାଙ୍କ ପତ୍ନୀ ରତିକା ଚନ୍ଦନା ଓ ତାଙ୍କ ୪ ବର୍ଷର ଝିଅ ହସ୍ତିନା ଚନ୍ଦନା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବାସିନ୍ଦା ଚୈତନ୍ୟ ଚନ୍ଦନା ନିଜ ପତ୍ନୀ ଓ ପିଲାଙ୍କୁ ଧରି ଏକ ଦଶାହ କର୍ମରେ ଯୋଗ ଦେବାକୁ ରାୟଗଡା ଜିଲ୍ଲାର ଜିଞ୍ଜିଲିବାଡ଼ିକୁ ଯାଇଥିଲେ। ସେଠାରୁ ସେମାନେ ଆଜି ସକାଳେ ଫେରୁଥିବା ବେଳେ ସିଙ୍ଗାପୁରୁ ରୋଡ଼ ରେଳ ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି | ସିଙ୍ଗାପୁରୁ ରୋଡ଼ ରେଳ ଷ୍ଟେସନରୁ ଚୈତନ୍ୟ ଚନ୍ଦନା ନିଜ ପତ୍ନୀ ଓ ପିଲାଙ୍କୁ ଧରି ଟ୍ରେନ୍ ଚଢ଼ୁଥିଲେ। ମାତ୍ର ହଠାତ୍ ଚଳନ୍ତା ଟ୍ରେନରୁ ଉଭୟ ମା’ ଝିଅ ଖସି ପଡ଼ିଥିଲେ। ଦୁର୍ଘଟଣାରେ ରତିକା ଚନ୍ଦନାଙ୍କ ଦୁଇଟି ହାତ ଏବଂ ଗୋଟିଏ ଗୋଡ଼ କଟି ଯାଇଥିବା ବେଳେ ବାମ ଗୋଡ଼ ଭାଙ୍ଗି ଯାଇଛି। ତାଙ୍କର ୪ ବର୍ଷର ଶିଶୁ କନ୍ୟା ହସ୍ତିନା ଚନ୍ଦନାଙ୍କ ଡାହାଣ ହାତ ଓ ଗୋଡ଼ କଟି ଯାଇଛି। ମୁମୁର୍ଷ ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାଯାଇଛି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..