Report Card Odisha

| Daily Odia News

୪ କର୍ପୋରେଟର ଆଶାୟୀ ପ୍ରାର୍ଥୀ କଲେ ମନୋନୟନ ପତ୍ର ଦାଖଲ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ପଂଚାୟତ ନିର୍ବାଚନ ସରିଯାଇଛି ଥିବା ବେଳେ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଜାରିରହିଛି | ଆଜି ପୌରନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଦ୍ଵିତୀୟ ଦିନ ଥିଲା | ଭୁବନେଶ୍ୱର ମହାନଗର ନିଗମ ସାଧାରଣ ନିର୍ବାଚନ-୨୦୨୨ ପାଇଁ ବିଭିନ୍ନ ଓ୍ୱାର୍ଡର କର୍ପୋରେଟର ପଦବୀ ପାଇଁ ୪ ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି । ଗତକାଲି ମେୟର ପଦବୀ ପାଇଁ ୫ ଜଣ ପ୍ରାର୍ଥୀ ମନୋନୟନ ଫର୍ମ ନେଇଥିବା ବେଳେ ଆଜି ଆଉ ୩ ଜଣ ପ୍ରାର୍ଥୀ ମନୋନୟନ ପତ୍ର ନେଇଛନ୍ତି । ଦୁଇ ଦିନରେ ମୋଟ ୮ ଜଣ ପ୍ରାର୍ଥୀ ମେୟର ପଦବୀ ପାଇଁ ମନୋନୟନ ଫର୍ମ ନେଇଛନ୍ତି । ଗତକାଲି ୧୯୪ ପ୍ରାର୍ଥୀ କର୍ପୋରେଟର ପଦବୀ ପାଇଁ ମନୋନୟନ ଫର୍ମ ନେଇଥିବା ବେଳେ ଆଜି ଆଉ ୧୭୭ ଜଣ ପ୍ରାର୍ଥୀ ଏଥିପାଇଁ ମନୋନୟନ ଫର୍ମ ନେଇଛନ୍ତି । ୨ ଦିନରେ ମୋଟ ୩୭୧ ଜଣ ପ୍ରାର୍ଥୀ ବିଭିନ୍ନ ଓ୍ୱାର୍ଡରେ କର୍ପୋରେଟର ପଦବୀ ପାଇଁ ମନୋନୟନ ପତ୍ର ନେଇଛନ୍ତି । ଗତକାଲି ଭଳି ଆଜି ମଧ୍ୟ ମନୋନୟନ ଫର୍ମ ନେବା ଓ ଫର୍ମ ଦାଖଲ ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ ମନୋନୟନ ପାଇଁ ଖୋଲାଯାଉଥିବା ବିଭିନ୍ନ କାଉଣ୍ଟରର କାର୍ୟ୍ୟ ପରିଦର୍ଶନ କରି ଫର୍ମ ବିକ୍ରି ତଥା ପ୍ରାର୍ଥୀମାନଙ୍କ ଦ୍ୱାରା ମନୋନୟନ ପତ୍ର ଦାଖଲ କାର୍ୟ୍ୟ ସୁଚାରୁରୂପେ ସଂପାଦନ କରିବା ପାଇଁ ସୁବ୍ୟବସ୍ଥା କରିଥିଲେ । ପ୍ରକାଶ ଥାଉକି, ଏହି ନିର୍ବାଚନରେ ଭୁବନେଶ୍ୱର ମହାନଗର ନିଗମର ୬୭ ଟି ଓ୍ୱାର୍ଡର ମୋଟ ୭ ଲକ୍ଷ ୨୫ ହଜାର ୭୬୫ ଭୋଟର ମତଦାନ କରିବାକୁ ଥିବା ବେଳେ ସେଥିମଧ୍ୟରୁ ପୁରୁଷ ଭୋଟର ୩ ଲକ୍ଷ ୯୪ ହଜାର ୫୧୦ ଓ ମହିଳା ଭୋଟର ସଂଖ୍ୟା ୩ ଲକ୍ଷ ୩୦ ହଜାର ୮୧୫ ଓ ୪୪୦ ଜଣ ଅନ୍ୟ ମତଦାତା ରହିଛନ୍ତି । ମୋଟ ୭୦୫ଟି ବୁଥରେ ମତଦାତାମାନେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ ।

Breaking News