Report Card Odisha

| Daily Odia News

ସମର୍ଥନ ପ୍ରତ୍ୟାହାର କଲେ ସିନ୍ଦେ ସେନା…..

ରିପୋର୍ଟ କାର୍ଡ / ମୁମ୍ବାଇ

ମହାରାଷ୍ଟ୍ରରେ କ୍ଷମତାସୀନ ମହା ବିକାଶ ଅଘାଡ଼ି ସରକାର ଠାରୁ ସମର୍ଥନ ପ୍ରତ୍ୟାହାର କରିଛନ୍ତି ଏକନାଥ ସିନ୍ଦେଙ୍କ ସହ ଥିବା ଶିବସେନାର ୩୮ ଜଣ ବିଦ୍ରୋହୀ ବିଧାୟକ। ଆଜି ବିଦ୍ରୋହୀ ବିଧାୟକମାନେ ବିଧିବଦ୍ଧ ଭାବେ ଗୋଟିଏ ନୋଟିସ ଜାରି କରି ଏମଭିଏ ସରକାରଠାରୁ ସମର୍ଥନ ପ୍ରତ୍ୟାହାର କରିଥିବା କଥା ସମସ୍ତଙ୍କୁ ଅବଗତ କରାଇଛନ୍ତି। ୩୮ ଜଣ ବିଧାୟକ ସମର୍ଥନ ପ୍ରତ୍ୟାହାର କରିଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଚାଲିଥିବା ମେଣ୍ଟ ସରକାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ହରାଇଛି। ତେଣୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପାଇଁ ଖୁବଶୀଘ୍ର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବାର ସମ୍ଭାବନା ମଧ୍ୟ ରହିଛି। ବିଦ୍ରୋହୀ ବିଧାୟକମାନେ ଜାରି କରିଥିବା ନୋଟିସରେ କହିଛନ୍ତି ଯେ ଶିବସେନା, କଂଗ୍ରେସ ଓ ଏନସିପି ମିଳିତ ଭାବେ ଗଠନ କରିଥିବା ଏମଭିଏ ସରକାର ଗୃହରେ ସଂଖ୍ୟା ଗରିଷ୍ଠତା ହରାଇଛନ୍ତି। କାରଣ ସରକାରଙ୍କୁ ସମର୍ଥନ କରୁଥିବା ଶିବସେନାର ୩୮ ଜଣ ବିଧାୟକ ଏବେ ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି। ସଂଖ୍ୟା ଗରିଷ୍ଠତା ହରାଇଥିଲେ ମଧ୍ୟ ଏମଭିଏ ସରକାର ଉପ ବାଚସ୍ପତି ପଦର ଅପବ୍ୟବହାର କରୁଛି। ସେମାନେ ଯେକୌଣସି ପରିସ୍ଥିତିରେ ମଧ୍ୟ କ୍ଷମତାରେ ରହିବାକୁ ଚାହୁଁଛନ୍ତି। ଏଥିପାଇଁ ଉପ ବାଚସ୍ପତି ଶିବସେନାର ୧୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ନୋଟିସ କରିଛନ୍ତି। ଏଥିସହ ୩୮ ଜଣ ବିଧାୟକ ଏକନାଥ ସିନ୍ଦେଙ୍କୁ ଦଳର ନେତା ଭାବେ ଚୟନ କରିଥିବା ମଧ୍ୟ ନୋଟିସରେ ଉଲ୍ଲେଖ କରାଯାଇଛି। ଏହି ଶୁଣାଣି ସମୟରେ ଆପଣମାନେ ପ୍ରଥମେ ହାଇକୋର୍ଟକୁ ଗଲେନାହିଁ କାହିଁକି ପ୍ରଶ୍ନ ସୁପ୍ରିମ୍‌ କୋର୍ଟ ପଚାରିବାରୁ ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଓ ଅନ୍ୟ ବିଧାୟକମାନେ କହିଥିଲେ- ମୁମ୍ବାଇରେ ସେମାନଙ୍କ ଜୀବନ ପ୍ରତି ବିପଦ ଅଛି। ଅବଶ୍ୟ ବିଦ୍ରୋହୀମାନଙ୍କ ତରଫରୁ ପ୍ରତିନିଧିତ୍ବ କରୁଥିବା ଓକିଲ ନୀରଜ କେ କୌଲ୍‌ ଏକଥା କହିଥିଲେ। ସୁପ୍ରିମ୍‌ କୋର୍ଟଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଲେ, ଆମକୁ ଏବଂ ଆମ ପରିବାରକୁ ଧମକ ଦିଆଯାଉଥିବାରୁ ମୁମ୍ବାଇରେ ମାମଲା ରୁଜୁ କରିବା ପ୍ରତିକୂଳ ହେଲା। ରାଜ୍ୟ ଶାସନ କଳକୁ ଅମାନ୍ୟ କରି ସେମାନେ ଆମ ଘରଦ୍ବାର ଉପରେ ଆକ୍ରମଣ କରୁଛନ୍ତି। ଆସାମରୁ ଆମ ଶବ ଯିବ ବୋଲି ଧମକ ଦେଉଛନ୍ତି। ବିଦ୍ରୋହ କରି ଶିବସେନାରୁ ଅଲଗା ହୋଇଯାଇଥିବା ବିଧାୟକମାନେ ସୁପ୍ରିମ୍‌ କୋର୍ଟରେ ଦୁଇଟି ପିଟିସନ୍‌ ଦାଖଲ କରିଛନ୍ତି। ଗୋଟିଏ ୧୬ଜଣ ବିଧାୟକଙ୍କୁ ଉପବାଚସ୍ପତି ନରହରି ଜିର୍‌ୱାଲ୍‌ ପଠାଇଥିବା ଆଯୋଗ୍ୟତା ନୋଟିସ୍‌ ଏବଂ ଆରଟି ବିଦ୍ରୋହୀ ବିଧାୟକମାନଙ୍କୁ ଶିବ ସୈନିକମାନେ ଦେଉଥିବା ଧମକ ପ୍ରସଙ୍ଗ। ସିନ୍ଦେଙ୍କ ଓକିଲ ଯୁକ୍ତି ବାଢ଼ିଛନ୍ତି ଯେ, ଉପବାଚସ୍ପିତି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷିତ କରିପାରିବେ ନାହିଁ।’ମହା ବିକାଶ ଅଘାଡ଼ି’ ତରଫରୁ ହାଜର ହୋଇ ବରିଷ୍ଠ ଆଡ୍‌ଭୋକେଟ୍‌ ଏ.ଏମ୍‌. ସଙ୍ଘୱି ଯୁକ୍ତି ଉପସ୍ଥାପନ କରି କହିଲେ, ମୁଁ ଏ ସଂକ୍ରାନ୍ତରେ କିଛି ତଥ୍ୟ ଉପସ୍ଥାପନ କରିବାକୁ ଚାହୁଁଛି ଯାହା ବାଚସ୍ପତି ଜାଣି ନ ଥାଇ ପାରନ୍ତି। ମହାରାଷ୍ଟ୍ରରେ କ୍ଷମତାସୀନ ଶିବସେନାରେ ବିଦ୍ରୋହକୁ ନେଇ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ସଂପର୍କିତ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଛି । ବିଦ୍ରୋହୀ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ଉପବାଚସ୍ପତି ଜାରି କରିଥିବା ନୋଟିସକୁ ଚା‌ଲେଞ୍ଜ କରି ବିଦ୍ରୋହୀମାନେ ସର୍ବୋଚ୍ଚ ଅଦାଲତରେ ପିଟିସନ ଦାଖଲ କରିଛନ୍ତି। ସେପଟେ ବିଦ୍ରୋହୀ ବିଧାୟକଙ୍କ ୟାଚିକା ଆଧାରରେ ଉପବାଚସ୍ପତିଙ୍କୁ ନୋଟିସ ଜାରି କରାଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ ୧୧ ତାରିଖରେ ହେବା ନେଇ ସ୍ଥିରୀକୃତ ହୋଇଛି ।

Breaking News