Report Card Odisha

| Daily Odia News

ନାଡାଲ ବିଶ୍ବରେ ସର୍ବାଧିକ ୨୧ତମ ଗ୍ରାଣ୍ଡସ୍ଲାମ୍…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଟେନିସ୍ ଦୁନିଆରେ ସ୍ପେନ୍‌ର ଟେନିସ୍ ଖେଳାଳି ରାଫେଲ ନାଡାଲ ଏକ ବିଶ୍ବ କୀର୍ତ୍ତିମାନ ସ୍ଥାପନ କରିଛନ୍ତି; ପୂର୍ବରୁ କୌଣସି ଖେଳାଳି ଏପରି କରି ପାରିନଥିଲେ। ବାମହାତି ନାଡାଲ ବିଶ୍ବରେ ସର୍ବାଧିକ ୨୧ତମ ଗ୍ରାଣ୍ଡସ୍ଲାମ୍ ପୁରୁଷ ଏକକ ବା ସିଙ୍ଗଲ୍‌ସ ଟାଇଟଲ ଜିତିଛନ୍ତି। ରବିବାର ଗ୍ରାଣ୍ଡସ୍ଲାମ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆନ୍ ଓପନ୍‌ର ପୁରୁଷ ଏକକ ଚମ୍ପିଆନ୍ ହୋଇଛନ୍ତି। ଏକ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ୬ଷ୍ଠ ସିଡ୍‌ ନାଡାଲ ୨ଟି ସେଟ୍‌ରେ ପଛୁଆ ରହିବା ସତ୍ତ୍ବେ ଲଢ଼ୁଆ ପ୍ରତ୍ୟାବର୍ତ୍ତନ କରି କ୍ରମାଗତ ୩ଟି ସେଟ୍‌ ଜିତି ଚମ୍ପିଆନ୍ ହୋଇ ପାରିଛନ୍ତି। ୫ ଘଣ୍ଟା ୨୪ ମିନିଟ ଧରି ଚାଲିଥିବା ମାରାଥନ୍ ପୁରୁଷ ସିଙ୍ଗଲ୍‌ସ ଫାଇନାଲ ମ୍ୟାଚ୍‌ରେ ନାଡାଲ୍‌ ୨-୬, ୬-୭, ୬-୪, ୬-୪, ୭-୫ ସେଟ୍‌ରେ ୨ୟ ସିଡ୍‌ ରୁଷିଆର ଡାନିଲ୍‌ ମେଡ୍‌ଭେଡେଭ୍‌ଙ୍କୁ ପରାସ୍ତ କରିଛନ୍ତି। ଫାଇନାଲ ପୂର୍ବରୁ ମେଡ୍‌ଭେଡେଭ୍‌ ଚମତ୍କାର ପ୍ରଦର୍ଶନ କରିଥିଲେ। ଫାଇନାଲ ଜିତିବାକୁ ସେ ଏକାଧିକ ସୁଯୋଗ ପାଇଥିଲେ ହେଁ ଏହାକୁ ହାତଛଡ଼ା କରିଛନ୍ତି। ଅଷ୍ଟ୍ରେଲିଆନ୍ ଓପନ୍‌ ପୂର୍ବରୁ ସ୍ପେନ୍‌ର ରାଫେଲ୍‌ ନାଡାଲ, ସ୍ବିଜରଲାଣ୍ଡର ରଜର ଫେଡେରର ଓ ସର୍ବିୟାର ନୋଭାକ୍ ଜୋକୋଭିକ୍‌ ସମାନ ୨୦ଟି ଲେଖାଏଁ ଗ୍ରାଣ୍ଡସ୍ଲାମ୍ ପୁରୁଷ ସିଙ୍ଗଲ୍‌ସ ଟାଇଟଲ ଜିତିଥିଲେ। ଫେଡରର ଆହତ ହୋଇ ଏହି ଗ୍ରାଣ୍ଡସ୍ଲାମ୍‌କୁ ଓହରି ଯାଇଥିବା ବେଳେ ଅଷ୍ଟ୍ରେଲିଆନ୍ ଓପନ୍‌ ଖେଳିବାକୁ ଆସିଥିବା ନୋଭାକ୍ ଜୋକୋଭିକ୍‌ କୋଭିଡ୍‌-୧୯ ଟିକା ନେଇ ନଥିବାରୁ ବିଦାଦୀୟ ପରିସ୍ଥିତିରେ ତାଙ୍କୁ ଅଷ୍ଟ୍ରେଲିଆରୁ ବିଦା କରା ଯାଇଥିଲା। ତେଣୁ ଟେନିସ୍ ଦୁନିଆରେ ‘ବିଗ୍ ଥ୍ରି’ ଭାବେ ପରିଚିତ ଫେଡେରର, ଜୋକୋଭିକ୍ ଓ ନାଡାଲଙ୍କ ମଧ୍ୟରୁ କେବଳ ନାଡାଲଙ୍କୁ ଅଷ୍ଟ୍ରେଲିଆନ୍ ଓପନ୍‌ ଖେଳିବାର ସୁଯୋଗ ମିଳିଥିଲା। ଏହାର ଫାଇଦା ଉଠାଇ ୩୫ ବର୍ଷ ବୟସ୍କ ନାଡାଲ ଏହି ଗ୍ରାଣ୍ଡସ୍ଲାମ୍ ଜିତି ପାରିଛନ୍ତି। ଫେଡେରର ଓ ଜୋକୋଭିକ୍‌ ୨୦ଟି ଲେଖାଏଁ ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତିଛନ୍ତି। ନାଡାଲ୍‌ଙ୍କର ଏହା ୨ୟ ଅଷ୍ଟ୍ରେଲିଆନ୍ ଓପନ୍‌ ଟାଇଟଲ। ଦୀର୍ଘ ୧୩ ବର୍ଷ ପରେ ନାଡାଲ୍‌ ଅଷ୍ଟ୍ରେଲିଆନ୍ ଓପନ୍‌ ଚମ୍ପିଆନ୍ ହୋଇ ପାରିଛନ୍ତି। ୨୦୦୯ ଫାଇନାଲରେ ରଜର ଫେଡେରରଙ୍କୁ ପରାସ୍ତକରି ନାଡାଲ ପ୍ରଥମଥର ଏଠାରେ ଚମ୍ପିଆନ୍ ହୋଇଥିଲେ। ପରେ ୨୦୧୨, ୨୦୧୪, ୨୦୧୭ ଓ ୨୦୧୯ରେ ନାଡାଲ୍‌ ଅଷ୍ଟ୍ରେଲିଆନ୍ ଓପନ୍‌ରେ ରନର୍ସଅପ୍ ହୋଇଥିଲେ। ଚଳିତବର୍ଷ ଅଷ୍ଟ୍ରେଲିଆନ୍ ଓପନ୍‌ ଜିତିବା ସହ ରଡ୍‌ ଲେଭର୍, ନୋଭାକ୍ ଜୋକୋଭିକ୍‌ ଓ ରୟ ଏମର୍‌ସନଙ୍କ ପରେ ନାଡାଲ ପ୍ରତି ଗ୍ରାଣ୍ଡସ୍ଲାମ୍‌କୁ ଅତିକମ୍‌ରେ ୨ ଥର ଜିତିବାରେ ସଫଳ ହୋଇଛନ୍ତି। ନାଡାଲ ୧୬ ବର୍ଷ ତଳେ ୨୦୦୫ରେ ଫ୍ରେଞ୍ଚ୍‌ ଓପନ୍‌​‌େ​‌ର ପୁରୁଷ ସିଙ୍ଗଲ୍‌ସ ଟାଇଟଲ ଜିତି ତାଙ୍କର ଯାତ୍ରା ଅରମ୍ଭ କରିଥିଲେ। ନାଡାଲ ସର୍ବାଧିକ ୧୩ ଥର ଫ୍ରେଞ୍ଚ୍‌ ଓପନ୍‌ ଜିତିଥିବା ବେଳେ ୪ ଥର ୟୁଏସ୍‌ ଓପନ୍‌ ଚମ୍ପିଆନ୍ ହୋଇଛନ୍ତି। ସେ ୨ ଥର ଲେଖାଏଁ ୱିମ୍ବଲଡନ୍‌ ଓ ଅଷ୍ଟ୍ରେଲିଆନ୍ ଓପନ୍‌ ପୁରୁଷ ସିଙ୍ଗଲ୍‌ସ ଚମ୍ପିଆନ୍ ହୋଇଛନ୍ତି। ୨୦୦୫ରୁ ୨୦୨୨ ମଧ୍ୟରେ ବିଗ୍ ଥ୍ରି’ ଫେଡେରର, ଜୋକୋଭିକ୍ ଓ ନାଡାଲ ମୋଟ ୬୮ଟିରୁ ୫୭ଟି ଗ୍ରାଣ୍ଡସ୍ଲାମ୍‌ ସିଙ୍ଗଲ୍‌ସ ଟାଇଟଲ ଜିତିଛନ୍ତି। ଏହି ବିଜୟ ସହ ନାଡାଲ ୧୫.୫୪ କୋଟି ଟଙ୍କା ପୁରସ୍କାର ରାଶି ପାଇଛନ୍ତି। ଗ୍ରାଣ୍ଡସ୍ଲାମ୍‌ରେ ନାଡାଲ ୨୯୮ଟି ମ୍ୟାଚ୍‌ ଜିତି ୪୧ଟି ହାରିଛନ୍ତି। ଅଷ୍ଟ୍ରେଲିଆନ୍ ଓପନ୍‌ରେ ନାଡାଲ ୭୬ଟି ମ୍ୟାଚ୍‌ ଜିତି ୧୫ଟି ହାରିଛନ୍ତି।

Breaking News