Report Card Odisha

| Daily Odia News

‘ନଡ଼ିଆ ଛତୁ ବେସର’….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆମିଷ ଖାଉନଥିବା ଲେକମାନେ ସାଧାରଣତଃ ଛତୁ ଖାଇବାକୁ ପସନ୍ଦ କରିଥାନ୍ତି । ଛତୁରେ ବିଭିନ୍ନ ପ୍ରକାରର ରେସିପି ଘରେ ପ୍ରସ୍ତୁତ କରାଯାଏ । ଆଜି ଆମେ ଆପଣଙ୍କ ପାଇଁ ଛତୁର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ନଡ଼ିଆ ଛତୁ ବେସର’ । ଏହି ରେସିପିଟି ଓଡ଼ିଶାର ଏକ ପାରମ୍ପିରିକ ଦେଶୀ ରେସିପି ଅଟେ । ତେବେ ଚାଲନ୍ତୁ, ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ।

ନଡ଼ିଆ ଛତୁ ବେସର ବନେଇବା ପାଇଁ ସାମଗ୍ରୀ: ପାଳଛତୁ ୫୦୦ ଗ୍ରାମ, ନଡ଼ିଆ କୋରା, ସୋରିଷ,ରସୁଣ,ଶୁଖିଲା ଲଙ୍କା,ଟମାଟୋ-୧,ଆମ୍ବୁଲ-୨ଟି,ଧନିଆ ପତ୍ର,ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ,ଧନିଆ ଗୁଣ୍ଡ,କଞ୍ଚାଲଙ୍କା -୨ଟି,ରିଫାଇନ ତେଲ ଓ ଅଳ୍ପ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଛତୁକୁ ଭଲ ଭାବେ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଏହାପରେ କଡେଇରେ ତେଲ ଗରମ କରି ଛତୁକୁ ଭଲଭାବେ ଭାଜି ଦି‌ଅନ୍ତୁ । ଏହା ଛତୁ ଭଲ ଭାବେ ଭାଜି ହୋଇଗଲା ପରେ ଏକ ପାତ୍ରକୁ କାଢି ଦିଅନ୍ତୁ । ଏହାପରେ ଆମ୍ବୁଲକୁ ପାଣିରେ ଭିଜାଇ ଏକ ପାତ୍ରରେ ରଖନ୍ତୁ । ଏହାପରେ ବେସର ମସଲା ପ୍ରସ୍ତୁତ କରିବା ପାଇଁ ସୋରିଷ,ରସୁଣ,ଶୁଖିଲା ଲଙ୍କାକୁ ବାଟି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।
କଡେଇରେ ତେଲ ଗରମ କରି ସେଥିରେ କିଛି ଜିରା ଓ କଞ୍ଚା ଲଙ୍କା ପକାଇ ଭାଜନ୍ତୁ । ସେଥିରେ ଆଗରୁ ପ୍ରସ୍ତୁତ ହୋଇଥିବା ସୋରିଷ ବଟା ମସଲାକୁ ପକାଇ ଦିଅନ୍ତୁ । ମସଲାକୁ ଗୋଳାଇ କଷନ୍ତୁ ।ଏହାପରେ ଟମାଟୋକୁ ଛୋଟ ଛୋଟ ଖଣ୍ଡ କରି କାଟି ସେଥିରେ ପକାନ୍ତୁ । ଟମାଟୋ ଓ ମସଲା ଭଲ ଭାବେ କଷି ହୋଇଗଲା ପରେ ସେଥିରେ ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ,ଧନିଆ ଗୁଣ୍ଡ, ଅଳ୍ପ ଲୁଣ ପକାଇ ଗୋଳାଇ ଦିଅନ୍ତୁ ।
ଏହାପରେ ସେଥିରେ ଆଗରୁ ଭଜା ହୋଇଥିବା ଛତୁକୁ ପକାଇ କଷନ୍ତୁ । ଛତୁ ଓ ମସଲା ଭଲ ଭାବେ ଗୋଳେଇ ହୋଇଗଲା ପରେ ସେଥିରେ ନଡ଼ିଆ କୋରାକୁ ପକାନ୍ତୁ । ଏହାପରେ ସେଥିରେ ଭିଜା ହୋଇଥିବା ଆମ୍ବୁଲକୁ ପକାନ୍ତୁ । ଏହାପରେ ସେଥିରେ ଅଳ୍ପ ପାଣି ଦେଇ ଘୋଡେଇ ଦିଅନ୍ତୁ । ୫ରୁ ୧୦ ମିନଟ ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ । ମସଲାରୁ ପାଣି ଫୁଟି ଶୁଖିଲା ହୋଇଗଲା ପରେ ସେଥିରେ କଟା ଧନିଆ ପତ୍ର ପକାଇ ଚୁଲିକୁ ବନ୍ଦ କରି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ନଡ଼ିଆ ଛତୁ ବେସର’ । ଏହି ରେସିପିଟିକୁ ଗରମ ଭାତ କିମ୍ବା ରୁଟି ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ତିଆରି କରି ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।

Breaking News