ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଶୁମାନେ କେବେ ବିଶ୍ୱାସ ଘାତକତା କରିନଥାନ୍ତି | ଯାହାର ଉଦାହରଣ ଚର୍ଚ୍ଚାରେ | ରାଜଧାନୀ ଭୁବନେଶ୍ୱରର ଭୀମଟାଙ୍ଗିରେ ରହୁଥିବା ସମ୍ପଦ କୁମାର ପରିଡାଙ୍କ ଘର ଭିତରକୁ ଏକ ୪ ଫୁଟ ଲମ୍ବର ନାଗ ସାପ ପଶିବା ପାଇଁ ଚେଷ୍ଟା କରୁଥିଲା | ଏହି ସମୟରେ ପୋଷା ବିଲେଇ ନାଗସାପ ଉପରେ ପଡିଥିଲା | ବିଲେଇ ନାଗକୁ ବାଟ ଛାଡି ନଥିଲା । ନାଗଟି ବାଟ ଭାଙ୍ଗି ଅଲଗା ବାଟରେ ଯିବାକୁ ଉଦ୍ୟତ ହେଲା ବେଳକୁ ବିଲେଇ ତାର ସମ୍ମୁଖକୁ ଯାଇ ବାଟ ଓଗାଳିଲା । ସାପ ଆଉ ବିଲେଇ ଲଢେଇକୁ ଦେଖି ସମ୍ପଦ ବାବୁ ଭୟ ପାଇଗଲେ । ଏଣେ ବିଲେଇକୁ ନାଗ ସାପ କାମୁଡ଼ିଲେ ତାର ମଧ୍ୟ ଜୀବନ ଯାଇପାରେ, ତେଣୁ ସମ୍ପଦ ବାବୁ ସ୍ନେକ ହେଲ୍ପ ଲାଇନକୁ ଉଦ୍ଧାର କରିବା ପାଇଁ ଅନୁରୋଧ କଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅରୁଣ କୁମାର ବରାଳ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ନାଗ ଫଣା ଟେକି ଠିଆ ହୋଇଥିବା ବେଳେ ବିଲେଇ ମଧ୍ୟ ତା ଦେହକୁ ଫୁଲେଇ ଠିଆ ହୋଇଥିଲା। ଉଭୟେ ପରସ୍ପରକୁ ଛକି ରହିଥିଲେ । ପ୍ରାୟ ୩୦ ମିନିଟ କାଳ ନାଗ ଓ ବିଲେଇ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିଲା । ଅରୁଣ କାଳ ବିଳମ୍ବ ନ କରି ବିଲେଇକୁ ଆଡେଇ ଦେଇ ନାଗ ସାପର ଲାଙ୍ଗୁଡ଼କୁ ନିଜ ହୁକରେ ଟେକି ଦୂରକୁ ନେଇ ଯାଇଥିଲେ। ତା’ପରେ ନାଗଟିକୁ ବ୍ୟାଗରେ ପୁରାଇ ସହର ବାହାରେ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦେଇଥିଲେ । ଏଣେ ପୋଷା ବିଲେଇ ବିଷଧର ନାଗ ସହ ଲଢ଼ି ଘର ଭିତରକୁ ବାଟ ଛାଡି ନ ଦେଇ ପରିବାର ଲୋକଙ୍କ ଜୀବନ ବଞ୍ଚାଇଥିବାରୁ ସମ୍ପଦ ବାବୁଙ୍କ ଘର ଲୋକେ ପୋଷା ବିଲେଇ ପ୍ରତି ନିଜର କୃତଜ୍ଞତା ପ୍ରକାଶ କରିବାକୁ ଭୁଲି ନ ଥିଲେ ।
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..