ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଏହା ହେଉଛି ନରେନ୍ଦ୍ର ମୋଦୀଙ୍କର ରାଜ୍ୟକୁ ପ୍ରଥମ ଗସ୍ତ। ଏହାପୂର୍ବରୁ ସେ ବିହାରର ପ୍ରାଚୀନ ନାଳନ୍ଦା ବିଶ୍ୱବିଦ୍ୟାଳୟର ଭଗ୍ନାବଶେଷ ପରିଦର୍ଶନ କରିଥିଲେ। ୨୦୧୬ ମସିହାରେ ଏହି ଧ୍ୱଂସାବଶେଷକୁ ପର୍ଯ୍ୟଟନସ୍ଥଳ ଭାବରେ ଘୋଷଣା କରାଯାଇଥିଲା। ଏହାର ଅତୀତ ସହିତ ଭାରତର ସମ୍ପର୍କକୁ ଅନୁଧ୍ୟାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଳନ୍ଦା ବିଶ୍ୱବିଦ୍ୟାଳୟର ଉଦଘାଟନ ପୂର୍ବରୁ ବୁଧବାର କହିଛନ୍ତି ଯେ ଯୁବକମାନଙ୍କ ଶିକ୍ଷାଗତ ଆବଶ୍ୟକତାକୁ ଏହା ପୂରଣ କରିବ। ଏକ ଏକ୍ସ ପୋଷ୍ଟ୍ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଏହା ଆମ ଶିକ୍ଷା କ୍ଷେତ୍ର ପାଇଁ ଏକ ବିଶେଷ ଦିନ। ସକାଳ ପ୍ରାୟ ୧୦.୩୦ ବେଳକୁ ରାଜଗିରରେ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ୍ ଉଦ୍ଘାଟିତ ହେବ। ଆମର ଗୌରବମୟ ଅଂଶ ସହିତ ନାଳନ୍ଦାର ଏକ ଦୃଢ଼ ସଂଯୋଗ ରହିଛି।” ଏହି ପୋଷ୍ଟ୍ ମୋଦୀ ଉଦ୍ଘାଟନ ପୂର୍ବରୁ କରିଥିଲେ। ଉଦ୍ଘାଟନୀ ସମାରୋହରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ନାଳନ୍ଦା ବିଶ୍ୱବିଦ୍ୟାଳୟର କୁଳପତି ଅରବିନ୍ଦ ପାନାଗରିଆ ଯୋଗ ଦେଇଥିଲେ। ଅଷ୍ଟ୍ରେଲିଆ, ବାଂଲାଦେଶ, ଭୁଟାନ, ବ୍ରୁନେଇ, ଦାରୁସଲାମ, କାମ୍ବୋଡିଆ, ଚୀନ୍, ଇଣ୍ଡୋନେସିଆ, ଲାଓସ୍, ମରିସସ୍, ମିଆଁମାର, ନ୍ୟୁଜିଲ୍ୟାଣ୍ଡ, ପର୍ତ୍ତୁଗାଲ, ସିଙ୍ଗାପୁର, ଦକ୍ଷିଣ କୋରିଆ, ଶ୍ରୀଲଙ୍କା, ଏବଂ ଭିଏତନାମ ସମେତ ସମୁଦାୟ ୧୭ ଟି ଦେଶରୁ ବିଦେଶୀ ଦୂତମାନେ ମଧ୍ୟ ଇଭେଣ୍ଟରେ ଉପସ୍ଥିତ ଥିଲେ।






More Stories
ଭାରତ-ବାଂଲାଦେଶ ତିକ୍ତତା ବୃଦ୍ଧି….
ପ୍ରଦୂଷଣ ଆମ ପାଇଁ ହୋଇଛି : ନୀତିନ ଗଡକରୀ……
ବାଂଲାଦେଶରେ ଘରୁ ବାହାରିବା ଏବଂ ନାମ କହିବାକୁ ଡରୁଛନ୍ତି……