ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗତ ୨୩ ତାରିଖରୁ ଆରମ୍ଭ ହୋଇଥିବା ଟୋକିଓ ଅଲିମ୍ପିକ ଅଗଷ୍ଟ ୮ରେ ଶେଷ ହୋଇଛି | ଟୋକିଓ ଅଲିମ୍ପିକକୁ ସଫଳତାର ସହ ଆୟୋଜନ କରିଥିବାରୁ ଜାପାନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୭ଟି ମେଡାଲ ଜିତି ବର୍ତ୍ତମାନ ସୁଦ୍ଧା ଅଲିମ୍ପିକରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଖେଳାଳିମାନଙ୍କୁ ମଧ୍ୟ ମୋଦି ପ୍ରଶଂସା କରିଛନ୍ତି । ଅନ୍ତରାଷ୍ଟ୍ରୀୟ ଅଲିମ୍ପିକ ଅଧ୍ୟକ୍ଷ ଥୋମାସ୍ ବାକ୍ ରବିବାର ଟୋକିଓରେ ୩୨ତମ ଅଲିମ୍ପିକ ଖେଳର ସମାପନ ଘୋଷଣା କରିଛନ୍ତି । ୨୦୨୪ରେ ହେବାକୁ ଥିବା ଅଲିମ୍ପିକ ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ରେ ଆୟୋଜନ କରାଯିବ । ଟୋକିଓ ଅଲିମ୍ପିକରେ ଭାଗ ନେଇଥିବା ସମସ୍ତ ଖେଳାଳି ଜଣେ ଜଣେ ଚାମ୍ପିୟନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଅଲିମ୍ପିକ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ୍ କରି କହିଛନ୍ତି, ‘ଟୋକିଓ ଅଲିମ୍ପିକ ସମାପନ ହେଉଛି । ଏହି ଅବସରରେ ଭାରତର ସମସ୍ତ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଉଛି । ସମସ୍ତେ ନିଜର ସ୍ବତନ୍ତ୍ର ଜ୍ଞାନ କୌଶଳ, ଟିମ୍ଓ୍ବାର୍କ ଏବଂ ସମର୍ପଣର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିଲେ । ଭାରତରୁ ପ୍ରତିନିଧିତ୍ବ କରିଥିବା ପ୍ରତି ଖେଳାଳି ଜଣେ ଜଣେ ଚାମ୍ପିୟନ। ଭାରତ ଯେଉଁ ପଦକ ଜିତିଛି, ସେଥିରେ ଦେଶ ଗୌରବାନ୍ବିତ ଏବଂ ପ୍ରଫୁଲ୍ଲିତ ହୋଇଛି ।’ ପ୍ରଧାନମନ୍ତ୍ରୀ କହିଛନ୍ତି, ତୃଣମୂଳ ସ୍ତରରୁ କ୍ରୀଡାକୁ ଆହୁରି ଲୋକପ୍ରିୟ କରିବା ପାଇଁ କାମ କରିବା ସମୟ ଆସିଛି । ଯାହା ଦ୍ବାରାକି ନୂଆ ନୂଆ ପ୍ରତିଭା ସାମ୍ନାକୁ ଆସିପାରିବେ ଏବଂ ଆଗାମୀ ସମୟରେ ସେମାନଙ୍କ ଭାରତରୁ ପ୍ରତିନିଧିତ୍ବ କରିବାର ସମୟ ସୁଯୋଗ ମିଳିବ । ଅଲିମ୍ପିକର ଚିତାକର୍ଷକ ଏବଂ ସଫଳ ଆୟୋଜନ ପାଇଁ ଜାପାନ ସରକାର ଏବଂ ସେଠାକାର ଲୋକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ‘ଏଭଳି ସମୟରେ ଏବଂ ଏତେ ସଫଳତାପୂର୍ବକ ଅଲିମ୍ପିକ ଆୟୋଜନ କରି ନମନୀୟତାର ମଜବୁତ ସନ୍ଦେଶ ଦେଇଛି ଜାପାନ । ଏଥି ସହିତ ଏହା ମଧ୍ୟ ଦର୍ଶାଇଛି ଯେ, ଖେଳ କିଭଳି ଭାବେ ଲୋକମାଙ୍କୁ ଯୋଡେ ।’ ଜାପାନ ଅଲିମ୍ପିକ୍ସରେ ଭାରତ ମୋଟ ୭ଟି ପଦକ ଜିତିଛି । ଏଥିମଧ୍ୟରେ ଗୋଟିଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଏବଂ ୪ଟି କାଂସ୍ୟ ପଦକ ଅନ୍ତର୍ଭୁକ୍ତ । ଭାରତ ପାଇଁ ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ, ଭାରୋତ୍ତୋଳକ ମୀରାବାଈ ଚାନୁ ଏବଂ ରେସଲର ରବି ଦାହିୟା ରୌପ୍ୟ, ବ୍ୟାଡମିଣ୍ଟନରେ ପି.ଭି ସିନ୍ଧୁ, ବକ୍ସର ଲଭଲୀନା ବୋରଗୋଓେଁ ଏବଂ ରେସଲର ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏମାନଙ୍କ ବ୍ୟତୀତ ଭାରତୀୟ ପୁରୁଷ ହକି ଦଳ ମଧ୍ୟ ବ୍ରୋଞ୍ଜ ପଦକ ଜିତି ୪୧ ବର୍ଷର ଅପେକ୍ଷାକୁ ଅନ୍ତ ଘଟାଇଛନ୍ତି |
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
୨ ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ…..