ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହରିୟାଣାର ଫରିଦାବାଦସ୍ଥିତ ନିଜ ୨୨.୭ଏକର ବିଶିଷ୍ଟ ଫାର୍ମ ହାଉସକୁ ବିକି ବ୍ୟାଙ୍କରେ ବଣ୍ଡ ଓ ଫିକ୍ସଡ୍ ଡିପୋଜିଟ ଆକାରରେ ପ୍ରାୟ ୧୧.୫୦କୋଟି ଟଙ୍କା ରଖିଛନ୍ତି । ନବୀନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିରେ ପ୍ରାୟ ୪୨.୮୬ଲକ୍ଷ ଟଙ୍କା ବୃଦ୍ଧି ହୋଇଛି । ସେହିପରି ନବୀନଙ୍କ କ୍ୟାବିନେଟରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ବାର୍ଷିକ ବୀମା ପ୍ରିମିୟମକୁ ନେଇ ଅଧିକ ଚର୍ଚ୍ଚା ଆରମ୍ଭ ହୋଇଛି । କ୍ୟାବିନେଟ୍ ମନ୍ତ୍ରୀ ଭାବେ ଟୁକୁନି ପାଉଥିବା ବାର୍ଷିକ ଦରମା ଓ ଭତ୍ତାର ୯୦ପ୍ରତିଶତ ଅର୍ଥକୁ ସେ ନିଜ ତଥା ୨ ଝିଅଙ୍କ ପାଇଁ କିଣିଥିବା ବୀମାର ପ୍ରିମିୟମ ଆକାରରେ ଦେଉଥିବା ଜଣାପଡ଼ିଛି । ମନ୍ତ୍ରୀ ଶ୍ରୀମତୀ ସାହୁ ମୋଟ ୧୮ଟି ବୀମା ପାଇଁ ବାର୍ଷିକ ପ୍ରିମିୟମ ଦେଉଥିବାବେଳେ ପୋଷ୍ଟ ଅଫିସ ସଂଚୟ ଓ ପ୍ରିମିୟମକୁ ମିଶାଇଲେ ଏହି ପରିମାଣ ଆହୁରି ଅଧିକ ହେବ ବୋଲି ସେ ଦେଇଥିବା ତାଙ୍କର ସମ୍ପତ୍ତି ବିବରଣୀରୁ ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୱେବସାଇଟରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ବାର୍ଷିକ ସମ୍ପତ୍ତି ବିବରଣୀ ତଥ୍ୟ ଉଲ୍ଲେଖ ରହିଛି । କେବଳ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଦ୍ ଦେଲେ ସମସ୍ତ ମନ୍ତ୍ରୀ ୨୦୨୨ ଡିସେମ୍ବର ୩୧ତାରିଖ ସୁଦ୍ଧା ନିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ଦାଖଲ କରିଛନ୍ତି । ନବୀନଙ୍କ ମନ୍ତ୍ରିମଣ୍ଡଳରେ ସବୁଠୁ ଗରିବ ମନ୍ତ୍ରୀ ଭାବେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ତାଙ୍କ ପତ୍ନୀ ମୋଟ ପ୍ରାୟ ୪୨ଲକ୍ଷ ଟଙ୍କାର ସମ୍ପତ୍ତି ମାଲିକ ହୋଇଥିବାବେଳେ ୧୩ଜଣ ମନ୍ତ୍ରୀଙ୍କ ସମ୍ପତ୍ତି କୋଟିଏରୁ ଅଧିକ ବୋଲି ଜଣାପଡ଼ିଛି | ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୋଟିଏ ପୃଷ୍ଠାରେ ନିଜର ସମ୍ପତ୍ତି ବିବରଣୀ ଦାଖଲ କରିଛନ୍ତି । ୨୦୨୨ ଡିସେମ୍ବର ୩୧ ଶେଷ ସୁଦ୍ଧା ନବୀନଙ୍କ ମୋଟ ସମ୍ପତ୍ତିର ପରିମାଣ ୬୫.୪୧କୋଟି ଟଙ୍କା । ଯାହାକି ୨୦୨୧ ମସିହା ତୁଳନାରେ ଅଧିକ ୪୨.୮୬ଲକ୍ଷ ଟଙ୍କା ଅଧିକ ବୋଲି ଜଣାପଡ଼ିଛି ।






More Stories
ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ ମୂଲ୍ୟାୟନ,ପ୍ରୋଜେକ୍ଟ କାର୍ଯ୍ୟ ବାଧ୍ୟତାମୂଳକ…..
ବିହାର ଭୋଟ ଗଣତି : ୧୯୦ ସିଟରେ ଆଗୁଆ ଏନଡିଏ….
କେନ୍ଦ୍ରାପଡାରେ ଫୁଟିଲା ଗୁଳି……