ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଭିନେତ୍ରୀ କଙ୍ଗନା ରଣାୱତ ଭାରତ ସ୍ୱାଧୀନତା ଉପରେ ବିବାୟ ବୟାନ ଦେଇ ଚର୍ଚାକୁ ଆସିଛନ୍ତି | ‘ଭାରତ ପ୍ରକୃତ ସ୍ବାଧୀନତା ପାଇଲା ୨୦୧୪ରେ । ୧୯୪୭ ମସିହାରେ ଯେଉଁ ସ୍ବାଧୀନତା ମିଳିଥିଲା ତାହା ଥିଲା ଭିକ୍ଷା। ୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଜେପି ସରକାର ଆସିବା ପରେ ହିଁ ସ୍ବାଧୀନତାର ଏକ ନୂଆ ଯୁଗ ଆରମ୍ଭ ହେଲା’ ବୋଲି ଗତକାଲି ଏକ କାର୍ଯ୍ୟକ୍ରମରେ କହିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ। ‘ଆଜାଦୀ’ ବୟାନକୁ ନେଇ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ଆପତ୍ତି ଦର୍ଶାଇଛନ୍ତି। ସେ କେନ୍ଦ୍ର ସରକାରଙ୍କୁ କଙ୍ଗନାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ନିକଟରେ କଙ୍ଗନା ଏକ କାର୍ଯ୍ୟକ୍ରମ ସମୟରେ କହିଥିଲେ ଯେ ଭାରତକୁ ଅସଲ ସ୍ୱାଧୀନତା ୨୦୧୪ ରେ ମିଳିଥିଲା। ଏହାସହ ସେ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଥିଲେ। ଅଭିନେତ୍ରୀଙ୍କ ଏହି ବୟାନକୁ ନେଇ ଅନେକ ହସ୍ତୀ ବିରୋଧ କରିଥିଲେ। ସମାଚାର ଏଜେନ୍ସି ଏଏନଆଇ ଅନୁଯାୟୀ, ମଲିକ କହିଛନ୍ତି ଯେ, ‘ଏମିତି ଲାଗୁଛି ଯେ ବୟାନ ଦେବା ଆଗରୁ କଙ୍ଗନା ମଲାଣା କ୍ରିମର ଭାରି ଡୋଜ ନେଇଯାଇଥିଲେ।’ ମଲାଣା କ୍ରିମ ଏକ ଖାସ ପ୍ରକାର ହଶିଷ ବା ଚରସ ଯାହା ବିଶେଷତଃ ହିମାଚଳ ପ୍ରଦେଶରେ ହୁଏ । ମଲିକ କଙ୍ଗନାଙ୍କ ବୟାନକୁ କଡା ନିନ୍ଦା କରିଛନ୍ତି। ସେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରିଛନ୍ତି। କେନ୍ଦ୍ର ସରକାର କଙ୍ଗନା ଠାରୁ ପଦ୍ମଶ୍ରୀ ପ୍ରତ୍ୟାହାର କରିନେବା ଉଚିତ ଏବଂ ତାଙ୍କୁ ଗିରଫ କରିବା ଉଚିତ ବୋଲି ମଲିକ କହିଛନ୍ତି। ନିକଟରେ କଙ୍ଗନା ସ୍ୱାଧୀନତା ଆନ୍ଦୋଳନକୁ ନେଇ କହିଥିଲେ ଯେ ଭାରତକୁ ଅସଲରେ ୨୦୧୪ରେ ସ୍ୱାଧୀନତା ମିଳିଛି। ବୀର ସାୱାରକରଙ୍କୁ ପଚରାଯାଇଥିବା ପ୍ରଶ୍ନରେ ସେ କଂଗ୍ରେସକୁ ବ୍ରିଟିଶ ସରକାରର ଅଂଶ ବୋଲି କହିଥିଲେ। ସେ କହିଥିଲେ ଯେ ଦେଶକୁ ୧୯୪୭ ରେ ଭିକ ମିଳିଥିଲା, ଅସଲ ସ୍ୱାଧୀନତା ୨୦୧୪ରେ ମିଳିଛି। ତାଙ୍କର ଏହି ବୟାନ ପରେ ବିବାଦ ଛିଡା ହୋଇଛି। ରାଜନେତାଙ୍କ ଛଡା ବଲିଉଡ ହସ୍ତୀ ମଧ୍ୟ ତାଙ୍କର ବୟାନକୁ ବିରୋଧ କରିଛନ୍ତି। ଆମ ଆଦମୀ ପାର୍ଟି ନେତା ପ୍ରୀତି ମେନନ କଙ୍ଗନାଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି ବୋଲି ଜଣାପଡିଛି। ଦିଲ୍ଲୀରେ ଆପ କଙ୍ଗନାଙ୍କ ଏହି ବୟାନକୁ ନିନ୍ଦା କରିବା ସହ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜ୍ଜୁ କରିବାକୁ ଦାବି କରିଛି।






More Stories
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..