ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନରେ ତାଲିବାନ କେତେକ ଅଂଚଳକୁ କବଜା କରିନେଉଛି | ତାଲିବାନ ଦିନକୁ ଦିନ ହିଂଶ୍ର ରୂପ ଧାରଣ କରୁଛି । ଯାହାକି ଆଫଗାନିସ୍ତାନରେ ସ୍ଥିତି ଜଟିଳ ହେବାରେ ଲାଗିଛି | ଏହା ଫଳରେ ଆଫଗାନିସ୍ତାନରେ ଥିବା ବିଦେଶୀ ନାଗରିକମାନଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶ ଆଫଗାନିସ୍ତାନରେ ଥିବା ନିଜ ନିଜର ନାଗରିକମାନଙ୍କୁ ସେଠାରୁ ବାହାର କରି ନେଉଛନ୍ତି । ଭାରତ ପୂର୍ବରୁ କାନ୍ଦାହାରରେ ଥିବା ନିଜର ବାଣିଜ୍ୟ ଦୂତାବାସକୁ ବନ୍ଦ କରିଦେଇଥିବାବେଳେ ଏବେ ଆଉ ଏକ ସହର ମଜାର-ଏ-ସରିଫରେ ଥିବା ନିଜର ନାଗରିକମାନଙ୍କୁ ସୁରକ୍ଷିତ ଫେରାଇ ନେବାକୁ ପଦକ୍ଷେପ ଗ୍ରହଣ କରିଛି । ଏଥପାଇଁ ଭାରତ ସରକାର ଏକ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରିଛନ୍ତି । ସହରରେ ଥିବା ଭାରତୀୟ କନସୁଲେଟ ଜେନେରାଲ ଅଫିସ ପକ୍ଷରୁ ଆଜି ଏକ ଟୁଇଟ୍ କରି ଏ ସମ୍ପର୍କରେ ଘୋଷଣା କରାଯ଼ାଇଛି । ଏଥିରେ କୁହାଯ଼ାଇଛି ଯେ ଆଜି ଏକ ସ୍ବତନ୍ତ୍ର ଫ୍ଲାଇଟ୍ ଭାରତୀୟ ନାଗରିକମାନଙ୍କୁ ନେଇ ଭାରତ ଅଭିମୁଖେ ଯାତ୍ରା କରିବ । ଯେଉଁ ଭାରତୀୟ ନାଗରିକମାନେ ଏହି ବିମାନ ମାଧ୍ୟମରେ ଭାରତ ଫେରିଯିବାକୁ ଚାହୁଁଛନ୍ତି ସେମାନେ ତୁରନ୍ତ ନିଜର ନାମ ଓ ଅନ୍ୟାନ୍ୟ ବିବରଣୀ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି । ଏଥିପାଇଁ ଏକ ଫୋନ ନମ୍ବର ଓ ହ୍ବାଟ୍ସଆପ ନମ୍ବର ପ୍ରଦାନ କରାଯାଇଛି ।
Discussion about this post