ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜଧାନୀ ଦିଲ୍ଲୀର ତିନ୍ ମୂର୍ତ୍ତି ଭବନ ପରିସରରେ ଅବସ୍ଥିତ ‘ନେହେରୁ ମେମୋରିଆଲ ମ୍ୟୁଜିୟମ୍ ଓ ଲାଇବ୍ରେରୀ ସୋସାଇଟି’ର ନାମ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ଏହାର ନୂଆ ନାମ ‘ପ୍ରାଇମ୍ ମିନିଷ୍ଟର୍ସ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ ସୋସାଇଟି’ ରଖାଯାଇଛି। ଏହି ନାମ ପରିବର୍ତ୍ତନ ପ୍ରକ୍ରିୟା ପ୍ରାୟ ବର୍ଷେ ଧରି ଜାରି ରହିଥିଲାବେଳେ ଶୁକ୍ରବାର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏହା ଘୋଷଣା କରାଯାଇଛି। ପ୍ରାୟ ବର୍ଷକ ପୂର୍ବେ ତିନ୍ ମୂର୍ତ୍ତି ଭବନ ପରିସରରେ ଥିବା ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁଙ୍କ ସରକାରୀ ବାସଭବନକୁ ପରିବର୍ତ୍ତନ କରାଯାଇ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ ପରିଣତ କରାଯାଇଥିଲା। ସେବେଠାରୁ ନେହେରୁ ମେମୋରିଆଲ ମ୍ୟୁଜିୟମର ପରିବର୍ତ୍ତନ ସମ୍ପର୍କରେ ଚର୍ଚ୍ଚା ହେଉଥିଲା । ଉକ୍ତ ମେମୋରିଆଲ ମ୍ୟୁଜିୟମ୍ର ଉପସଭାପତି ଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଉକ୍ତ ନାମ ପରିବର୍ତ୍ତନକୁ ସ୍ବାଗତ କରାଯାଇଛି। ଏଣିକି ଏଠାରେ ନେହେରୁଙ୍କଠାରୁ ଆରମ୍ଭ କରି ନରେନ୍ଦ୍ର ମୋଦୀଙ୍କ ପର୍ଯ୍ୟନ୍ତ ଦେଶର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଅବଦାନ ପ୍ରଦର୍ଶନ ହେବ ବୋଲି ରାଜନାଥ କହିଛନ୍ତି। ପ୍ରଧାନମନ୍ତ୍ରୀ ପଦ ଏକ ପ୍ରତିଷ୍ଠାନ। ପ୍ରଧାନମନ୍ତ୍ରୀମାନଙ୍କର କାର୍ଯ୍ୟଧାରା ଇନ୍ଦ୍ରଧନୁର ସପ୍ତରଙ୍ଗ ଭଳି। ସମସ୍ତ ରଙ୍ଗ ଉପଯୁକ୍ତ ଭାବେ ଦେଶବାସୀଙ୍କ ସମ୍ମୁଖରେ ସ୍ଥାନ ପାଇବା ଆବଶ୍ୟକ। ଗଣତାନ୍ତ୍ରିକ ଉପାୟରେ ସମସ୍ତ ପ୍ରଧାନମନ୍ତ୍ରୀଙ୍କୁ ଏଠାରେ ସ୍ଥାନ ଦେବା ପାଇଁ ମୋଦୀ ସରକାର ନିଷ୍ପତ୍ତି ନେଇଥିଲେ ଏବଂ ଏହା ସାକାର ହୋଇଛି ବୋଲି ରାଜନାଥ କହିଛନ୍ତି।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..