ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନେପାଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭୂସ୍ଖଳନ ଏବଂ ବର୍ଷାଜନିତ କାରଣରୁ ୧୧୨ ଜଣ ପ୍ରାଣ ହରାଇଥିବାବେଳେ ୬୪ ଜଣ ନିଖୋଜ ଥିବା କୁହାଯାଇଛିି। ଗତ ଶୁକ୍ରବାରଠାରୁ ନେପାଳରେ ପ୍ରବଳ ବର୍ଷା ଲାଗି ରହିଛି। ବିଗତ ୫୪ ବର୍ଷ ମଧ୍ୟରେ ଏହା ସର୍ବାଧିକ ବୋଲି ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ଗତ ଚବିଶ ଘଣ୍ଟା ମଧ୍ୟରେ ରାଜଧାନୀ କାଠମାଣ୍ଡୁରେ ୨୪୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ଯୋଗୁଁ ନେପାଳର ଅଧିକାଂଶ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବାଗମତି ଓ ଏହାର ଶାଖା ନଦୀଗୁଡିକର ଜଳ କୂଳ ଲଂଘିଥିବାରୁ ଶତାଧିକ ବାସଗୃହ ଜଳମଗ୍ନ ହୋଇପଡିଥିବା ଲକ୍ଷ୍ୟ କରାଯାଇଛି। ରବିବାର ସକାଳ ସୁଦ୍ଧା ପ୍ରାୟ ୪ ହଜାର ଲୋକଙ୍କୁ ଜଳଘେରରୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ୩ ହଜାର ଯବାନଙ୍କ ସମେତ ହେଲିକପ୍ଟର ଓ ମୋଟର ବୋଟ୍କୁ ମୁତୟନ କରାଯାଇଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟି ରାଜପଥଗୁଡିକ ଅବରୁଦ୍ଧ ହୋଇପଡିଛି। ଶୁକ୍ରବାର ସନ୍ଧ୍ୟାରୁ କାଠମାଣ୍ଡୁ ବିମାନବନ୍ଦରରୁ ୧୫୦ଟି ବିମାନର ଉଡାଣକୁ ବାତିଲ କରାଯାଇଥିଲା। ତେବେ ରବିବାର ସ୍ଥିତିରେ ଉନ୍ନତି ଘଟିବାରୁ ବିମାନସେବା ଆରମ୍ଭ ହୋଇଛି। ବର୍ଷା ଯୋଗୁଁ ଶତାଧିକ ପର୍ଯ୍ୟଟକ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି। ସ୍ଥିତିରେ ଉନ୍ନତି ଘଟିବା ପର୍ଯ୍ୟନ୍ତ ଅଗ୍ରସର ନ ହେବାକୁ ପର୍ଯ୍ୟଟକଙ୍କୁ ପରାମର୍ଶ ଦିଆଯାଇଛି।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….