ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨ ମାସରୁ ଅଧିକ ହେବ ଗାଜା ଷ୍ଟ୍ରିପ୍ରେ ଯୁଦ୍ଧ ଜାରିରହିଛି | ଏହା ଭିତରେ ରବିବାର ଦିନ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ହମାସ୍ ଆତଙ୍କବାଦୀମାନଙ୍କୁ ଚେତାବନୀ ଶୁଣାଇଛନ୍ତି। କହିଛନ୍ତି ସର୍ବନାଶ ହେଲାଣି, ଏଥର ଆତ୍ମସମର୍ପଣ କର | ଗାଜା ଷ୍ଟ୍ରିପ୍ରେ ଥିବା ହମାସ୍ ମୁଖ୍ୟଙ୍କ ପ୍ରତି ଉଦ୍ଦେଶ୍ୟ କରି ସେ କହିଛନ୍ତି, ଏବେ ବି ଯୁଦ୍ଧ ଚାଲିଛି, କିନ୍ତୁ ହମାସ୍ର ପତନ ଆରମ୍ଭ ହୋଇଗଲାଣି। ହମାସ୍ ଆତଙ୍କବାଦୀମାନଙ୍କୁ ମୁଁ କହିଦେଉଛି: ସର୍ବନାଶ ଘଟିଲାଣି। ସିନ୍ୱାରଙ୍କ ପାଇଁ ଆତ୍ମବଳି ଦିଅନାହିଁ। ଏଥର ଆତ୍ମସମର୍ପଣ କର। ସୂଚନାଯୋଗ୍ୟ, ୟାହ୍ୟା ସିନ୍ୱାର୍ ହେଉଛନ୍ତି ଗାଜା ଷ୍ଟ୍ରିପ୍ରେ ଥିବା ହମାସ୍ ସଙ୍ଗଠନର ମୁଖ୍ୟ। ନେତାନ୍ୟାହୁ ଆହୁରି ମଧ୍ୟ କହିଛନ୍ତି, ଗତ ଅଳ୍ପ କିଛି ଦିନ ହେଲା ଅନେକ ହମାସ୍ ଆତଙ୍କବାଦୀ ଆମ ସେନା ନିକଟରେ ଆତ୍ମସମର୍ପଣ କଲେଣି। କିନ୍ତୁ, ହମାସ୍ ଆତଙ୍କବାଦୀମାନେ ଆତ୍ମସମର୍ପଣ କରିଥିବାର କୌଣସି ପ୍ରମାଣ ଇସ୍ରାଏଲ୍ ସେନା ଉପସ୍ଥାପନ କରି ନ ଥିବାରୁ ହମାସ୍ ଏଭଳି ଦାବିକୁ ଅଗ୍ରାହ୍ୟ କରି ଦେଇଛି। ସେପଟେ, ରବିବାର ଦିନ ହମାସ୍ ମଧ୍ୟ ଇସ୍ରାଏଲ୍କୁ ସାବଧାନ କରାଇ କହିଛି ଯେ, ତାଙ୍କ ସଙ୍ଗଠନର ଦାବି ପୂରଣ ନ ହେବାଯାଏ କୌଣସି ପଣବନ୍ଦୀ ଜୀବିତାବସ୍ଥାରେ ଗାଜାରୁ ମୁକୁଳି ପାରିବେ ନାହିଁ। ଟେଲିଭିଜନ୍ରେ ପ୍ରସାରିତ ବାର୍ତ୍ତାରେ ହମାସ୍ ସଶସ୍ତ୍ର ସେନାର ମୁଖପାତ୍ର ଆବୁ ଓବେଦିଆ କହିଛନ୍ତି ଫାଶୀବାଦୀ ଶତ୍ରୁ କିଂବା ତା’ର ଅହଙ୍କାରୀ ନେତୃତ୍ବ କିଂବା ତା’ର ସମର୍ଥକମାନେ ବିନା ବିନିମୟ, ବୁଝାମଣା ଓ ଦାବି ପୂରଣ ନ କରି ପଣବନ୍ଦୀଙ୍କୁ ଜୀବନ୍ତ ଉଦ୍ଧାର କରି ନେଇ ପାରିବେ ନାହିଁ।






More Stories
“ହମ୍ପଟି ଡମ୍ପଟି ବଜେଟ”……
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….