ରିପୋର୍ଟ କାର୍ଡ / ପୁରୀ
ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀବିଗ୍ରହମାନେ ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ହୋଇ ୧୫ ଦିନ ଅଣସରରେ ରହି ଗୁପ୍ତସେବା ହେବା ପରେ ଗୁରୁବାର ନେତ୍ର ଉତ୍ସବରେ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିସହ ମହାପ୍ରଭୁ ନବଯୌବନ ବେଶରେ ସଜେଇ ହେବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅମାବାସ୍ୟା ଅବସରରେ ବୁଧବାର ଅଣସର ଘରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି କରାଯାଇଛି। ଶୁକ୍ଳ ପ୍ରତିପ୍ରଦା ତିଥିରେ ଗୁରୁବାର ଭକ୍ତଙ୍କୁ ଦର୍ଶନ ଦେବେ ଦାରୁଦିଅଁ। ପରମ୍ପରା ଅନୁସାରେ ପ୍ରଥମେ ଶ୍ରୀବିଗ୍ରହମାନଙ୍କ ଚକା ଅପସର ନୀତି ଅନୁଷ୍ଠିତ ହେବ। ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ, ସକାଳ ୬ଟାରେ ଚକା ଅପସର, ୬ଟା ୧୦ରେ ମଙ୍ଗଳ ଆଳତି, ୬ଟା୨୫ରେ ମଇଲମ, ୭ଟାରେ ଅବକାଶ ହୋଇ ୭ଟା ୩୦ରେ ଦଶାବତାର ଠାକୁରଙ୍କ ବାହୁଡ଼ାବିଜେ ନୀତି ହେବ। ୮ଟାରେ ତାଟିଫିଟା ପରେ ୯ଟା ପର୍ଯ୍ୟନ୍ତ ପରିମାଣିକ ଦର୍ଶନ ଚାଲିବ। ଟିକେଟଧାରୀଙ୍କୁ ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ପଟେ ଭିତରକୁ ଛଡ଼ାଯିବ। ଭିଆଇପିଙ୍କୁ ମଧ୍ୟ ପରମାଣିକ ଦର୍ଶନ ଲାଗି ଭକ୍ତଙ୍କ ସହ ଛଡ଼ାଯିବ। ଏହାପରେ ସିଂହଦ୍ୱାରରେ ଅପେକ୍ଷାରତ ଭକ୍ତ ମହାପ୍ରଭୁଙ୍କୁ ସାହାଣମେଲାରେ ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ଦର୍ଶନ କରିବେ। ଏହାପରେ ମହାପ୍ରଭୁଙ୍କ ଅନ୍ୟ ନୀତି ଆରମ୍ଭ କରାଯିବ। ତେବେ ଭକ୍ତମାନେ ଶ୍ରୀମନ୍ଦିର ଭିତରବେଢା ବୁଲି ପାର୍ଶ୍ୱଦେବଦେବୀଙ୍କୁ ଦର୍ଶନ କରିପାରିବେ। ପୂର୍ବାହ୍ନ ୧୧ଟା ୩୦ରେ ଧୂଆଧୋଇ ହୋଇ ଚୂନ ପଡ଼ିବା ପରେ ସର୍ବାଙ୍ଗ, ବନ୍ଦାପନା ଅନୁଷ୍ଠିତ ହୋଇ ନେତ୍ର ଉତ୍ସବ ବନ୍ଦାପନା ସମ୍ପନ୍ନ ହେବ। ରୋଷ ହୋମ, ରାଜନୀତି, ଯାତ୍ରାଙ୍ଗୀ ମହାସ୍ନାନ, ମଇଲମ, ଘଣ୍ଟ ଛତା ସର୍ବାଙ୍ଗ ପରେ ଅନ୍ୟାନ୍ୟ ନୀତି ବଢିବ। ରାତିରେ ଦଇତାପତିମାନେ ଶ୍ରୀବିଗ୍ରହମାନଙ୍କୁ ସେନାପଟା ଲାଗି କରିବେ।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
କମିଲା ଗ୍ୟାସ୍ ଦର……
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..