ରିପୋର୍ଟ କାର୍ଡ / ଭୁବନେଶ୍ୱର
ବୁଧବାର ଡାକ୍ତରଖାନାରେ ମୃତ ଘୋଷିତ ଶିଶୁ ଶ୍ମଶାନରେ ଚେଇଁ ଉଠିବା ପରେ ଆଜି ତାକୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡରେ | ଶେଷକୃତ ପାଇଁ ଶିଶୁକୁ ଶ୍ମଶାନକୁ ନିଆଯାଇଥିବ ବେଳେ ଶିଶୁଟି କାନ୍ଦିବାରୁ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତା’ର ମୃତ୍ୟୁ ହୋଇଥିବା କହିଛନ୍ତି ଡାକ୍ତର। ଫଳରେ ଶିଶୁଟି ବଞ୍ଚିଯିବ ବୋଲି ଆଶା ରଖିଥିବା ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି। ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ କରଂଜିଆ ଉପଖଣ୍ଡ ଚିକିତ୍ସାଳୟରେ ରାଇମଣି ମୁଣ୍ଡା ଓ ସୁନିଆ ମୁଣ୍ଡାଙ୍କର ଏକ ଶିଶୁ ଜନ୍ମ ହୋଇଥିଲା। ହେଲେ ମେଡିକାଲ କର୍ତ୍ତୃପକ୍ଷ ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଏହାପରେ ମେଡିକାଲ କର୍ତ୍ତୃପକ୍ଷ ଶିଶୁକୁ ଏକ ବ୍ୟାଗରେ ପୁରାଇ ପରିବାରଙ୍କୁ ହସ୍ତାନ୍ତର କରିଥିଲେ। ଏହାପରେ ମୃତ ଶିଶୁର ପରିବାର ଛୁଆକୁ ନେଇ ନିଜ ପୈତୃକ ଗ୍ରାମ କେନ୍ଦୁଝର ଜିଲ୍ଲାର ଖଡିକାପଦା ଗ୍ରାମକୁ ନେଇ ଯାଉଥିଲେ। ସେଠାରେ ଶେଷକୃତ ପାଇଁ ଛୁଆଟିକୁ ଶ୍ମଶାନକୁ ନିଆଯାଇଥିବା ବେଳେ ସେଠାରେ ସେ କାନ୍ଦି ଉଠିଥିଲା। ଏହାଦେଖି ପରିବାର ଲୋକେ ତୁରନ୍ତ ତାକୁ କରଂଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଆଜି ସକାଳେ ତା’ର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ଏନେଇ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି, ଶିଶୁଟି ଅପରିପକ୍ୱ ଥିବା ବେଳେ ଅବସ୍ଥା ଗୁରୁତର ଥିଲା। ତେଣୁ ସବୁ ପ୍ରକାର ଚେଷ୍ଟା ସତ୍ତ୍ୱେ ସେ ଆଜି ସକାଳେ ଆଖି ବୁଜିଥିବା ସୂଚନା ମିଳିଛି ।
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..
୫ ଘଣ୍ଟା ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ…..