ରିପୋର୍ଟ କାର୍ଡ / ବାଲେଶ୍ଵର
ବିଧାୟକ ଫଳକ ଉନ୍ମୋଚନ କରିବା ପରେ ଭାଙ୍ଗିଦେଇଛନ୍ତି ସରପଞ୍ଚ। ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରିରୁ ସାମ୍ନାକୁ ଆସିଛି | ଗୁରୁବାର ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଓ ଗରଡ଼ିହି ସରପଞ୍ଚ ଶିବାଜୀ ସିଂ ମୁହାଁମୁହିଁ ହୋଇଥିଲେ। ତେବେ ସରପଞ୍ଚଙ୍କର ଏଭଳି ଆଚରଣକୁ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାରୋକ କରିଥିଲେ। ପୋଲିସ ହସ୍ତକ୍ଷେପ ପରେ ସ୍ଥିତି ସୁଧାର ଆସିଥିଲା। ନୀଳଗିରି ବ୍ଲକ୍ ଗରଡ଼ିହି ପଞ୍ଚାୟତ କଳାକାଦ ଛକଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୪ କୋଟି ୭୮ ଲକ୍ଷ ୭୮ ହଜାର ୨୩୦ ଟଙ୍କା ବ୍ୟୟ ଅଟକଳରେ କଳାକାଦ-ଚେକାମରା-ଟିଆକଟା ପର୍ଯ୍ୟନ୍ତ ଆର୍ଡି ରାସ୍ତା ନିର୍ମାଣ ପାଇଁ ଆଜି ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଥିଲା। ପୂର୍ବ ପସ୍ତୁତି ଅନୁଯାୟୀ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ସେଠାରେ ପହଞ୍ଚିଥିଲେ। ହେଲେ ଶିଳାନ୍ୟାସ ପୂର୍ବରୁ ଗରଡ଼ିହି ସରପଞ୍ଚ ଶିବାଜୀ ସିଂ ପହଞ୍ଚି ଫଳକରେ ତାଙ୍କ ନାଁ ନଥିବା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ। ଏମିତିକି ଶିଳାନ୍ୟାସ ବାବଦରେ କାହିଁକି ତାଙ୍କୁ ଆଗରୁ ସୂଚନା ଦିଆଗଲାନି ବୋଲି କହି ବିଧାୟକଙ୍କୁ ବିରୋଧ କରିବା ସହ ଫଳକ ଉପରେ ଯାଇ ବସିଥିଲେ। ଅନ୍ୟପକ୍ଷରେ ବିଧାୟକ ସରପଞ୍ଚଙ୍କ କଥାକୁ ଏଡ଼ାଇ ଯାଇ ଶିଳାନ୍ୟାସ କରିବାରୁ ଉତ୍କ୍ଷିପ୍ତ ହୋଇ ଫଳକକୁ ଭାଙ୍ଗି ଦେଇଥିଲେ ସରପଞ୍ଚ। ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହେବାସହ ଧସ୍ତାଧସ୍ତି ହୋଇଥିଲା। ଗ୍ରାମବାସୀ ସରପଞ୍ଚଙ୍କ କାର୍ଯ୍ୟକୁ ନିନ୍ଦା କରି ୧୯ ନଂବର ରାଜ୍ୟ ରାଜପଥରେ ଧାରଣାରେ ବସିଥିଲେ। ବାଲେଶ୍ବର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ଓ ବରହମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ମାମଲା ଥଣ୍ଡା ପଡିଥିଲା |






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..