Report Card Odisha

| Daily Odia News

କଂଗ୍ରେସକୁ ନୀତିନ ଗଡ଼କରୀଙ୍କ ଲିଗାଲ୍ ନୋଟିସ୍…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶଙ୍କୁ ଏକ ଆଇନଗତ ନୋଟିସ୍ପ ଠାଇଛନ୍ତି କେନ୍ଦ୍ର ପରିବହନ ଓ ସଡ଼କ ମନ୍ତ୍ରୀ ନିତିନ ଗଡ଼କରୀ। କଂଗ୍ରେସ ତାଙ୍କର ଏକ ସାକ୍ଷାତକାର ସମୟର ଭିଡିଓକୁ ବିକୃତ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିବା ସେ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ କରି ସେ କଂଗ୍ରେସ ଅଧ୍ୟକ୍ଷଙ୍କୁ ଲିଗାଲ୍ ନୋଟିସ୍ ପଠାଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ଭିଡ଼ିଓକୁ ଡିଲିଟ୍ କରିବା ସହ ତିନି ଦିନ ମଧ୍ୟରେ ଲିଖିତ ଆକାରରେ କ୍ଷମା ମାଗିବାକୁ ସେ ଦାବି କରିଛନ୍ତି। ଗଡକରୀ କହିଛନ୍ତି ଯେ, କଂଗ୍ରେସ ତାଙ୍କ ସାକ୍ଷାତକାରର ୧୯ ସେକେଣ୍ଡର ଅଡିଓ ଏବଂ ଭିଜୁଆଲ୍ କ୍ଲିପିଂ ପୋଷ୍ଟ କରିଛି, ଯାହା ମୂଳ ଭିଡିଓ ତଥ୍ୟକୁ ବିକୃତ ଭାବେ ଦର୍ଶାଉଛି। ତାଙ୍କୁ ଅପମାନିତ କରିବା ପାଇଁ କଂଗ୍ରେସ ନେତାଙ୍କ ଦ୍ୱାରା ଏହା ଏକ ସୁଚିନ୍ତିତ ପ୍ରୟାସ ଏବଂ ଏହା ସହିତ ଭାରତୀୟ ଜନତା ପାର୍ଟିର ସଦସ୍ୟମାନଙ୍କୁ ଏକ ଧାର୍ମିକ ମତଭେଦ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏପରି କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏହି କ୍ଲିପ୍ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବା ସହ ବଦନାମ ଏବଂ ବିଶ୍ୱସନୀୟତା ଉପରେ ଆଞ୍ଚ ଆଣିବା ପରି ବୋଲି ଗଡ଼କରୀ କହିଛନ୍ତି। କଂଗ୍ରେସ ଏକ୍ସରେ ଶେଆର କରିଥିବା ଭିଡିଓରେ ଗଡ଼କରୀ କହୁଛନ୍ତି, “ଗାଁ, ଗରିବ, ଶ୍ରମିକ ଏବଂ କୃଷକମାନେ ଦୁଃଖୀ,ଗାଁରେ ଭଲ ରାସ୍ତା ନାହିଁ, ପିଇବା ପାଇଁ ପାଣି ନାହିଁ, ଭଲ ଡାକ୍ତରଖାନା ନାହିଁ। ଭଲ ବିଦ୍ୟାଳୟଟେ ବି ନାହିଁ।” ଗଡ଼କରୀଙ୍କ କହିବା କଥା, କଂଗ୍ରେସ ସେହି ଅଂଶଗୁଡ଼ିକୁ କାଟି ଦେଇଛି ଯେଉଁଠାରେ ସେ କହିଥିଲେ, “ବର୍ତ୍ତମାନର କେନ୍ଦ୍ର ସରକାରଙ୍କ କାର୍ଯ୍ୟକାଳରେ ବି ଏସବୁ ସମସ୍ୟାକୁ ଦୂର କରିବା ପାଇଁ ଉଦ୍ୟମ କରାଯାଉଛି ଏବଂ ଭଲ ଫଳାଫଳ ମଧ୍ୟ ମିଳୁଛି।”କଂଗ୍ରେସ ପ୍ରାସଙ୍ଗିକତାକୁ ଲୁଚାଇ ବିକୃତ ଭିଡିଓ ଶେଆର କରିଛି। ଏହା ତାଙ୍କ ଭାବମୂର୍ତ୍ତି ଉପରେ ଆଞ୍ଚ ଆଣିଥିବା ସେ ନୋଟିସରେ ଉଲ୍ଲେଖ କରିଛନ୍ତି।

Breaking News