ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବରିଷ୍ଠ ନାଗରିକ ଟ୍ରେନରେ ଯାତ୍ରା କଲେ ଟିକେଟରେ ରିହାତି ମିଳିବ ନାହିଁ । କେବଳ ସିନିୟର ସିଟିଜେନ୍ ନୁହଁନ୍ତି ଭାରତୀୟ ରେଳବାଇ ଏବେ କୌଣସି ଯାତ୍ରୀଙ୍କୁ ଟିକେଟରେ ରିହାତି ଛାଡ କରିବ ନାହିଁ । ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ସୂଚନା ଦେଇଛନ୍ତି । ସଂସଦରେ ଚାଲିଥିବା ଶିତ ଅଧିବେଶନରେ ଉତ୍ତର ରଖି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, କୋଭିଡ ମହାମାରି ଏବଂ ଲକଡାଉନ୍ ସଟଡାଉନକୁ ନଜରରେ ରଖି ବୟସ୍କ ବ୍ୟକ୍ତି ଏବଂ ଅନ୍ୟ ଯାତ୍ରୀମାନଙ୍କୁ ଦିଆଯାଉଥିବା ରିହାତି ଆଉ ଛାଡ କରାଯିବ ନାହିଁ । ତେବେ କରୋନା ମହାମାରୀ ପୂର୍ବରୁ ସିନିୟର ସିଟିଜେନଙ୍କୁ ରେଳବାଇ ଅନେକ ପ୍ରକାର ରିହାତି ପ୍ରଦାନ କରୁଥିଲା । କିନ୍ତୁ ଲକଡାଉନ୍ ଏବଂ ସଟଡାଉନ୍ ପାଇଁ ରେଳ ଚଳାଚଳ ଦୀର୍ଘଦିନ ପାଇଁ ବନ୍ଦ ହୋଇ ରହିଥିଲା । କଟକଣା ହଟିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ୍ ହେଲା ସତ, କିନ୍ତୁ ସମସ୍ତ ଟ୍ରେନକୁ ସ୍ପେସାଲ ବା ଫେଷ୍ଟିବାଲ ସ୍ପେସାଲ ନାଁରେ ଚଲାଗଲା । ଆଉ ଯାତ୍ରୀଙ୍କୁ ଦିଆଯାଉଥିବା ରିହାତିକୁ ପ୍ରତ୍ୟାହାର କରିନିଆଗଲା । ଏହାସହିତ ସ୍ପେସାଲ ଟ୍ରେନ୍ ନାଁରେ ଟ୍ରେନ୍ ଭଡା ମଧ୍ୟ ବଢାଇ ଦିଆଗଲା । ଯାହାକୁ ନେଇ ଯାତ୍ରୀଙ୍କୁ ଏବେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଖାସକରି ବୟସ୍କ ଲୋକେ ଅଧିକ ଅସୁବିଧା ଭୋଗୁଛନ୍ତି । ରେଳବାଇ ନିୟମ ଅନୁଯାୟୀ, ଯଦି କୌଣସି ମହିଳାଙ୍କ ବୟସ ୫୮ ବର୍ଷରୁ ଅଧିକ ଏବଂ ପୁରୁଷଙ୍କ ବୟସ ୬୦ ବର୍ଷରୁ ଅଧିକ ତେବେ ସେହିମାନଙ୍କୁ ବରିଷ୍ଠ ନାଗରିକ ଶ୍ରେଣୀରେ ଗଣାଯିବ । ଏହି ନିୟମ ଅନୁସାରେ ପୂର୍ବରୁ ବରିଷ୍ଠ ମହିଳା ଯାତ୍ରୀଙ୍କୁ ଟ୍ରେନ୍ ଭଡା ୫୦ ପ୍ରତିଶତ ଛାଡ ହେଉଥିବା ବେଳେ ପୁରୁଷଙ୍କୁ ୪୦ ପ୍ରତିଶତ ଛାଡ କରାଯାଉଥିଲା । କିନ୍ତୁ ବର୍ତ୍ତମାନ ଏହି ସୁବିଧାକୁ ବନ୍ଦ କରିଦିଆଯାଇଛି | ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବରିଷ୍ଠ ନାଗରିକ, ମାନ୍ୟତା ପ୍ରାପ୍ତ ପତ୍ରକାର, ଯୁବପୀଢି, ଚାଷି, ରିସର୍ଚ୍ଚ ସ୍କଲାର୍ସ, ପଦକ ବିଜେତା, ସ୍କାଉଟ୍ ଗାଇଡ୍, ଅଭିନେତା ଏବଂ ଖେଳାଳିଙ୍କ ଭଳି ୩୦ରୁ ଅଧିକ କାଟାଗୋରି ପାଇଁ ରିହାତି ସେବା ପ୍ରତ୍ୟାହାର କରିନେଇଛି ରେଳବାଇ ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..