Report Card Odisha

| Daily Odia News

କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ଉତ୍ତର କୋରିଆ ନିକ୍ଷେପ କରିଥିବା ଏକାଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମଧ୍ୟରୁ ଗୋଟିଏ କ୍ଷେପଣାସ୍ତ୍ର ନିକ୍ଷେପଣ ଯୋଗୁଁ କେନ୍ଦ୍ରୀୟ ଓ ଉତ୍ତର ଜାପାନର କେତେକ ପ୍ରାନ୍ତର ବାସିନ୍ଦାମାନଙ୍କୁ ଘରେ ରହିବାକୁ ସତର୍କ କରାଇଦିଆଯାଇଛି। ଗୋଟିଏ ଦିନ ଉତ୍ତର କୋରିଆ ଅନ୍ୟୂନ ୨୩ଟି କ୍ଷେପଣାସ୍ତ୍ର ନିକ୍ଷେପ କରିବାର ଦିନକ ପରେ ଅର୍ଥାତ୍‌ ଆଜି ପୁନର୍ବାର ଉତ୍ତର କୋରିଆ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରିଛି।‘ଜେ-ଆଲର୍ଟ ଏମର୍ଜେନ୍‌ସି ବ୍ରଡ୍‌କାଷ୍ଟିଙ୍ଗ୍‌ ସିଷ୍ଟମ୍‌’ କହିବା ଅନୁସାରେ, କେନ୍ଦ୍ରୀୟ ଜାପାନର ମିୟାଗି, ୟାମାଗାଟା ଏବଂ ନାଇଗାଟା ଜିଲ୍ଲାର ବାସିନ୍ଦାମାନଙ୍କୁ ଘରେ ରହିବାକୁ ସତର୍କ କରାଇ ଦିଆଯାଇଛି। ଗୋଟାଏ କ୍ଷେପଣାସ୍ତ୍ର ଜାପାନ ଉପର ଦେଇ ଅତିକ୍ରମ କରିଯାଇଛି ବୋଲି ପ୍ରଥମେ ଜାପାନ ସରକାର କହିଥିଲେ। କିନ୍ତୁ, ତାହା ଭୁଲ୍‌ ବୋଲି ପରେ ଜାପାନ ପ୍ରତିରକ୍ଷା ମନ୍ତ୍ରାଳୟ କହିବା ସହ ସ୍ପଷ୍ଟ କରିଛି ଯେ, କ୍ଷେପଣାସ୍ତ୍ରଟି ଜାପାନା ଅଞ୍ଚଳ ମଧ୍ୟ ଦେଇ ଅତିକ୍ରମ କରି ନାହିଁ। ସରକାରୀ ସୂତ୍ରରୁ ଉଦ୍ଧାର କରି ସମ୍ବାଦ ପ୍ରସାରଣ ସଂସ୍ଥାନ ‘ଏଫ୍‌ଏନ୍‌ଏନ୍‌’ ରିପୋର୍ଟ କରିଛି: କ୍ଷେପଣାସ୍ତ୍ର ନିକ୍ଷେପଣର ପ୍ରାୟ ୨୫ ମିନିଟ୍‌ ପରେ ଜାପାନ ତଟରକ୍ଷୀ କହିଲା ଯେ, କ୍ଷେପଣାସ୍ତ୍ରଟି ଖସିପଡ଼ିଛି। ସକାଳ ୮.୧୦ ମିନିଟ୍‌ରେ ତଟରକ୍ଷୀ ସୁନିଶ୍ଚିତ କଲା ଯେ, ତାହା ଜାପାନର ପୂର୍ବ ଦିଗ‌କୁ ୧୧୦୦ କିଲୋମିଟର୍‌ ଦୂର ପ୍ରଶାନ୍ତ ମହାସାଗର ମଧ୍ୟରେ କୌଣସି ଏକ ସ୍ଥାନରେ ପଡ଼ିଛି। ‘ଦି ୟୋନ୍‌ହାପ୍‌ ନିଉଜ୍‌ ‌ଏଜେନ୍‌ସି’ ରିପୋର୍ଟ କରିଛି ଯେ, ପ୍ରଥମ କ୍ଷେପଣାସ୍ତ୍ରଟି ‘ଷ୍ଟେଜ୍‌ ସେପାରେସନ୍‌’ ହୋଇ ଗତି କରିଛି। ତେଣୁ, ତାହା ହୁଏ ତ ଅର୍ନ୍ତମହାଦେଶୀୟ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଭଳି ଦୂରଗାମୀ କ୍ଷେପଣାସ୍ତ୍ର ହୋଇଥାଇ ପାରେ।

Breaking News