ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କଲା କୋଲକାତା ପୋଲିସ । ଏହାପୂର୍ବରୁ ତାଙ୍କୁ ଏମହର୍ଷ୍ଟ ଏବଂ ନାର୍କେଲଡଙ୍ଗା ପୋଲିସ ଷ୍ଟେସନରେ ହାଜର ହେବାକୁ କୁହାଯାଇଥିଲା। ହେଲେ ହାଜର ପାଇଁ ନୋଟିସ ପାଇ ବି ନୂପୁର ପୋଲିସ ଷ୍ଟେସନରେ ହାଜର ହୋଇନଥିଲେ। କୋଲକାତାର ପ୍ରାୟ ୧୦ଟି ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଥିବା ବେଳେ ନୂପୁର ହାଜର ହେବା ପାଇଁ ସଫାସଫା ମନା କରିଥିଲେ। ଏହି କାରଣରୁ ଏବେ ପୋଲିସ ତାଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରିଛି। ଏହା ପୂର୍ବରୁ ନୂପୁରଙ୍କ ଉପରେ ବର୍ଷିଥିଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ କହିଥିଲେ, ନୂପୁର ଏବଂ ତାଙ୍କ ବୟାନ ସମଗ୍ର ଦେଶରେ ନିଆଁ ଲଗାଇଦେଇଛି। ନୂପୁର ଟିଭିରେ ଦେଇଥିବା ଦାୟିତ୍ବହୀନ ଟିପ୍ପଣୀ ପାଇଁ ସମଗ୍ର ଦେଶରେ ଉତ୍ତେଜନା ଲାଗିରହିଛି ଏବଂ ଏଭଳି ଦୁର୍ଭାଗ୍ୟଜନକ ସ୍ଥିତି ଉପୁଜିଛି। ଦେଶରେ ଯେଉଁ ସ୍ଥିତି ଲାଗି ରହିଛି ସେଥିପାଇଁ କେବଳ ନୂପୁର ହିଁ ଦାୟୀ। ଯେଉଁଭଳି ଭାବେ ସେ ଉତ୍ତେଜନା ସୃଷ୍ଟି କରିଛନ୍ତି, ସେଥିପାଇଁ ସେ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ୍ ବୋଲି ସୁପ୍ରିମକୋର୍ଟ କହିଥିଲେ। ନୂପୁର ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିବାରୁ କୋର୍ଟ ତାଙ୍କ ଆବେଦନର ଶୁଣାଣି କରିବା ସମୟରେ ଏଭଳି ଟିପ୍ପଣୀ ଦେଇଥିଲେ। ତାଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ଥିବା ସବୁ ଏତଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାପାଇଁ ସୁପ୍ରିମକୋର୍ଟରେ ନୂପୁର ଏକ ଆବେଦନ କରିଥିଲେ। ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ଏପରି ଆବେଦନ କରିଥିଲେ। ତେବେ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜେବି ପରଦିୱାଲାଙ୍କ ଖଣ୍ଡପୀଠ ନୂପୁରଙ୍କ ଆବେଦନ ଖାରଜ କରିଦେଇଛନ୍ତି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..