ରିପୋର୍ଟ କାର୍ଡ / ଭୁବନେଶ୍ୱର
ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ରାଜ୍ୟ ବାହାରେ ରହି କାମ କରୁଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ପ୍ରବାସୀ ଶ୍ରମିକ ନିର୍ଯ୍ୟାତନାର ଶିକାର ହେଉଛନ୍ତି। ସେହିପରି ସେମାନେ ମୌଳିକ ସୁବିଧା ସୁଯୋଗରୁ ମଧ୍ୟ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ତେବେ ଆଗକୁ ଏପରି ଘଟଣାରେ ରାଜ୍ୟ ଶ୍ରମ ବିଭାଗ ସିଧାସଳଖ ହସ୍ତକ୍ଷେପ କରିବ।ଅସହାୟ ପ୍ରବାସୀ ଶ୍ରମିକଙ୍କ ପାଖରେ ତୁରନ୍ତ ସହାୟତା ପହଞ୍ଚିବ। ଏଥିପାଇଁ ରାଜ୍ୟ ଶ୍ରମ ବିଭାଗ ଏକ ତିନିବର୍ଷିଆ ଯୋଜନା ପ୍ରସ୍ତୁତ କରୁଛି। ଏଥିଲାଗି ଏକ ଚିଠା ପ୍ରସ୍ତାବ ପ୍ରସ୍ତୁତ କରିବା ପାଇଁ ବିଭାଗ ପକ୍ଷରୁ ଏକ ସଂସ୍ଥାକୁ ନିୟୋଜିତ କରାଯାଇଛି। ମାସେ ଦୁଇ ମାସ ଭିତରେ ଚିଠା ପ୍ରସ୍ତାବ ଆସିବା ପରେ ସରକାରଙ୍କ ଅନୁମୋଦନ ନେଇ ତାହା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି। ଓଡ଼ିଶା ଶ୍ରମିକଙ୍କ ପ୍ରବାସ ଉପରେ ଅଙ୍କୁଶ ଲଗାଇବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଇଛି। ସେହିପରି ଶିଳ୍ପ ସଂସ୍ଥାରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ମଧ୍ୟ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏହା ସତ୍ତ୍ବେ ବହୁ ସଂଖ୍ୟାରେ ଲୋକ ଅନ୍ୟ ରାଜ୍ୟକୁ କାମ ଧନ୍ଦା ପାଇଁ ଯାଉଛନ୍ତି। କିନ୍ତୁ ସେମାନେ ସେଠାରେ ନିର୍ଯ୍ୟାତନା ପାଇଲେ ଅବା ସୁବିଧା ସୁଯୋଗରୁ ବଞ୍ଚିତ ହେଲେ ସହାୟତା ଦେବା ବେଶ୍ କଷ୍ଟକର ହୋଇପଡୁଛି। ଏପରି ସମସ୍ୟାର ସ୍ଥାୟୀ ଓ ଦୀର୍ଘମିଆଦି ପ୍ରତିକାର ପାଇଁ ଯୋଜନା ପ୍ରସ୍ତୁତ କରିଛି ଶ୍ରମ ବିଭାଗ। ଏହ ମର୍ମରେ ବିଭାଗ ତିନି ବର୍ଷିଆ ସମନ୍ୱିତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରୁଛି। ଯୋଜନା ଅନୁସାରେ ରାଜ୍ୟ ବାହାରକୁ ଯିବା ପୂର୍ବରୁ ପ୍ରବାସୀ ଶ୍ରମିକମାନେ ଓଡ଼ିଶାରେ ରହି ପ୍ରଥମେ ନିଜକୁ ପଞ୍ଜିକୃତ କରିବେ। ସେମାନେ କେଉଁ ସ୍ଥାନକୁ ଯାଉଛନ୍ତି, କାହା ପାଖରେ କାମ କରିବେ, କେଉଁ ପ୍ରକାର ବୃତ୍ତିରେ ନିୟୋଜିତ ହେବେ, କାହା ସହାୟତାରେ ରାଜ୍ୟ ବାହାରକୁ ଯାଉଛନ୍ତି ଆଦିର ସମ୍ପୂର୍ଣ୍ଣ ବିବରଣୀ ସରକାରଙ୍କ ପାଖରେ ରହିବ। ଦ୍ୱିତୀୟରେ ସେମାନେ ଅନ୍ୟ ରାଜ୍ୟରେ କୌଣସି ସମସ୍ୟା ଭୋଗିଲେ ଅବା ନିର୍ଯ୍ୟାତନାର ଶିକାର ହେଲେ, ତା’ହେଲେ ସରକାର ହସ୍ତକ୍ଷେପ କରିବେ। ତେବେ ଏଥିରେ ସମ୍ପୃକ୍ତ ରାଜ୍ୟ ପ୍ରଶାସନର ସହଯୋଗ ଆବଶ୍ୟକ। ସେଥିପାଇଁ ଏବେଠାରୁ ଶ୍ରମ ବିଭାଗ ଅଧିକ ସଂଖ୍ୟାରେ ପ୍ରବାସୀ ଶ୍ରମିକ ରହୁଥିବା ରାଜ୍ୟ ସରକାରଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି। ଶ୍ରମ ଓ ଇଏସ୍ଆଇ ବିଭାଗର ଶାସନ ସଚିବ ସନ୍ଥଗୋପାଳନ ଆର କହିଛନ୍ତି, ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ପାଇଁ ଆମେ ଯତ୍ନବାନ୍ ଅଛୁ। ଏହା ଏପରି ଏକ ସମସ୍ୟା ଯେଉଁଥିରେ ରାଜ୍ୟ ସରକାର ଏକାକୀ କିଛି କରିପାରିବେ ନାହିଁ। ଅନ୍ୟ ରାଜ୍ୟର ସରକାରଙ୍କ ସହଯୋଗ ଆବଶ୍ୟକ। ସେଥିପାଇଁ ଆଲୋଚନା ଜାରି ରହିଛି। ସେହିପରି ବିଭିନ୍ନ ରାଜ୍ୟରେ ଥିବା ପ୍ରବାସୀ ଓଡିଆ ସଂଘ ସହିତ ଆମେ ବୁଝାମଣା ସ୍ୱାକ୍ଷର କରିବୁ। ଯଦ୍ଦାରା ଆମକୁ ସେଠାରେ ସହାୟତା ମିଳିପାରିବ। ଯେଉଁ ସବୁ ରାଜ୍ୟରେ ଅଧିକ ପ୍ରବାସୀ ଓଡ଼ିଆ ଶ୍ରମିକ ରହୁଛନ୍ତି, ସେଠାରେ ଏକ ସହାୟତା କେନ୍ଦ୍ର ଖୋଲିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ। ଇତିମଧ୍ୟରେ ସୁରତ ଠାରେ ଏକ ପ୍ରବାସୀ ଶ୍ରମିକ ସହାୟତା କେନ୍ଦ୍ରକୁ ନିକଟରେ ଶ୍ରମ ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ସେଠାରେ ଏକ ସ୍ଥାୟୀ ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା ପାଇଁ ମଧ୍ୟ ଉଦ୍ୟମ କରାଯାଉଛି। ସେହିପରି ପ୍ରବାସୀ ଶ୍ରମିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ମଧ୍ୟ ଆମେ ପଦକ୍ଷେପ ନେଉଛୁ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ରାଜ୍ୟ ବାହାରେ ଥିବା ୧୧୦ଟି ଡାକ୍ତରଖାନାକୁ ପଞ୍ଜିକରଣ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଫଳରେ ସେଠାରେ ପ୍ରବାସୀ ଶ୍ରମିକମାନେ ବିନା ଦେୟରେ ସ୍ୱାସ୍ଥ୍ୟ ସେବା ପାଇପାରିବେ ବୋଲି ଶ୍ରୀ ସନ୍ଥଗୋପାଳନ କହିଛନ୍ତି।






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..