Report Card Odisha

| Daily Odia News

ରାଜ୍ୟର ସମସ୍ତ ପଞ୍ଚାୟତରେ ନିର୍ମାଣ ହେବ ‘କନଭେନସନ ସେଣ୍ଟର’ ଓ ପାଠାଗାର….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଗ୍ରାମାଞ୍ଚଳରେ ବସବାସ ଲୋକଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଗମନଗମନ ସୁବିଧା ସହିତ ପ୍ରତି ଗାଁରେ କିଭଳି ବ୍ୟାଙ୍କିଂ ସେବା ପହଞ୍ଚିବ ପାରିବ, ଗ୍ରାମ୍ୟ ଅର୍ଥନୀତିର ବିକାଶ କିପରି ହୋଇ ପାରିବ ସେନେଇ ପୂର୍ବରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ରାଜ୍ୟର ସମସ୍ତ ପଞ୍ଚାୟତରେ ‘କନଭେନସନ ସେଣ୍ଟର’ ନିର୍ମାଣ କରାଯିବ । ସେଥିପାଇଁ ପ୍ରତି ପଞ୍ଚାୟତକୁ ୬୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ସୂଚନା ମୁତାବକ, କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ସହାୟତା ଯୋଜନା ରେ ରାଜ୍ୟର ୬୭୯୮ଟି ପଞ୍ଚାୟତରେ ବହୁମୁଖୀ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଛି । ଏଥିସହିତ ପଞ୍ଚାୟତମାନଙ୍କରେ ପାଠାଗାର ମଧ୍ୟ ନିର୍ମାଣ କରାଯିବ । ଏନେଇ ପୂର୍ତ୍ତି ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରାଯାଇଥିବା ବେଳେ ତାହା ଏବେ ନିଷ୍ପତ୍ତି ଅପେକ୍ଷାରେ ରହିଛି । ଏହି ବହୁମୁଖୀ କେନ୍ଦ୍ର ନିର୍ମାଣ କରି ପଞ୍ଚାୟତବାସୀଙ୍କ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟ କିପରି ସମ୍ଭବ ହୋଇପାରିବ ସେନେଇ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି ।ରାଜ୍ୟରେ କନଭେନସନ କେନ୍ଦ୍ର ନିର୍ମାଣ ନେଇ ନିକଟରେ ରାଜ୍ୟ ଲୋକସେବା ଭବନରେ ଆୟୋଜିତ ବୈଠକରେ ଆଲୋଚନା ହୋଇଥିଲା । ଏହି ସେଣ୍ଟର ସ୍ଥାପନ କରାଯିବା ଫଳରେ ବନ୍ୟା, ବାତ୍ୟା ସମୟରେ ଲୋକଙ୍କୁ ସହାୟତା ମିଳିପାରିବ । ଏହି କେନ୍ଦ୍ରରେ ଲୋକଙ୍କର ବିବାହ କାର୍ଯ୍ୟ, ସାମୂହିକ କାର୍ଯ୍ୟ କରାଯିବ । ତେବେ ଏହି କେନ୍ଦ୍ର ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୫ ହଜାର କୋଟି ମଗାଯାଇଥିବା ବେଳେ ମୁଖ୍ୟ ସଚିବ ୩ ହଜାର କୋଟିର ଯୋଜନାକୁ କାର୍ଯ୍ୟକାରୀ କରିବାକୁ କହିଥିଲେ । ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ସହାୟତା ଯୋଜନାରେ ରାଜ୍ୟ ଭାଗରେ ୪୫୨୮ କୋଟି ଟଙ୍କା ପଡ଼ିଥିବା ସେ କହିଥିଲେ । ତେବେ କେନ୍ଦ୍ର ସରକାରଙ୍କ ଯୋଜନାକୁ ଛାଡ଼ି ୨୭,୬୪୦ କୋଟି ବିନିଯୋଗ ହେବ ବୋଲି କୁହାଯାଇଛି ।

 

Breaking News