Report Card Odisha

| Daily Odia News

ପୁଣି ପୁରୁଣା ଢାଞ୍ଚାରେ ମାଟ୍ରିକ ପରୀକ୍ଷା…..

ରିପୋର୍ଟ କାର୍ଡ / କଟକ

ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା ୨୦୨୪ରେ ପୁଣି ପୁରୁଣା ଢାଞ୍ଚାରେ । ବୋର୍ଡ ପକ୍ଷରୁ ଆପାତତଃ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଥିବା ବେଳେ ଆସନ୍ତା ସପ୍ତାହରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବ। କୋଭିଡ୍ ମହାମାରୀ ସ୍ଥିତି ଯୋଗ ମାଟ୍ରିକ ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଥିବା ବେଳେ ଗଲା ୨ ବର୍ଷ ହେବ ନୂଆ ଢଙ୍ଗରେ ପରୀକ୍ଷା ହୋଇ ଆସୁଥିଲା। ଶେଷଥର ୨୦୨୦ରେ ବାର୍ଷିକ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। କୋଭିଡ୍ ମହାମାରୀ ଯୋଗୁଁ ୨୦୨୧ରେ ବିନା ବୋର୍ଡ ମାଟ୍ରିକ ପରୀକ୍ଷାରେ ପିଲାଙ୍କୁ ପାସ୍ କରି ଦିଆଯାଇଥିଲା। ସ୍କୁଲ୍ ଦେଇଥିବା ନମ୍ବର ଆଧାରରେ ସେମାନଙ୍କୁ ନମ୍ବର ଦିଆଯାଇଥିଲା। ଆସନ୍ତା ସପ୍ତାହରେ ବୋର୍ଡ ଜାରି କରିବ ବିଜ୍ଞପ୍ତି ତିନିବର୍ଷ ହେଲା ୯୦ ପ୍ରତିଶତ ଉପରେ ରହି ଆସିଛି ପାସ୍ ହାର | ୨୦୨୦ରେ ଶେଷ ଥର ହୋଇଥିବା ବାର୍ଷିକ ମାଟ୍ରିକ ପରୀକ୍ଷାରେ ରାଜ୍ୟରେ ପାସ୍ ହାର ଥିଲା ୭୯.୭୧ ପ୍ରତିଶତ। କିନ୍ତୁ ୨୦୨୧ରେ ବିନା ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ପାସ୍ କରାଯାଇଥିବା ବେଳେ ସେହିବର୍ଷ ମାଟ୍ରିକ ପରୀକ୍ଷାରେ ପାସ ହାର ପହଞ୍ଚିଗଲା ୯୭. ୮୯ ପ୍ରତିଶତରେ। ଯାହାକୁ ବୋର୍ଡ ଇତିହାସରେ ଏ ପର୍ଯ୍ୟନ୍ତ ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ୨୦୨୨ ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ନୂଆ ବ୍ୟବସ୍ଥା ପ୍ରଣୟନ କରାଗଲା। ସମ୍ମେଟିଭ୍ ଆସେସମେଣ୍ଟ୍-୧ (ଏସ୍‌ଏ-୧) ଓ ସମ୍ମେଟିଭ୍ ଆସେସମେଣ୍ଟ୍-୨ (ଏସ୍‌ଏ-୨), ଫର୍ମାଟିଭ୍ ଆସେସମେଣ୍ଟ୍ (ଏଫ୍‌ଏ-୧, ୨, ୩, ୪) ପରୀକ୍ଷା ବ୍ୟବସ୍ଥା କରାଗଲା। ଏସ୍‌ଏ-୧ର ୪୦ ପ୍ରତିଶତ, ଏସ୍‌ଏ-୨ର ୪୦ ପ୍ରତିଶତ ଏବଂ ଏଫ୍‌ଏ-୧, ୨, ୩, ୪ରୁ ୨୦ ପ୍ରତିଶତ ନମ୍ବର (ୱେଟେଜ ଭିତ୍ତ‌ିରେ) ନେଇ ମାଟ୍ରିକ ପରୀକ୍ଷାର ନମ୍ବର ହିସାବ କରାଗଲା। ଏହି ଆଧାରରେ ହୋଇଥିବା ନମ୍ବର ହିସାବରେ ୨୦୨୨ ମାଟ୍ରିକ ପରୀକ୍ଷାରେ ପାସ୍ ହାର ୯୦. ୭୯ ପ୍ରତିଶତ ରହିଥିବା ବେଳେ ୨୦୨୩ ଅର୍ଥାତ ଚଳିତ ବର୍ଷ ପାସ୍ ହାର ୯୬. ୪୦ ପ୍ରତିଶତରେ ପହଞ୍ଚିଗଲା। ପୁରୁଣା ବ୍ୟବସ୍ଥାର ‌ବାର୍ଷିକ ମାଟ୍ରିକ ପରୀକ୍ଷାରେ ପାସ୍ ହାର ୨୦୨୦ରେ ପାଖାପାଖି ୮୦ ପ୍ରତିଶତରୁ ସିଧା ବୃଦ୍ଧି ପାଇଁ ନୂଆ ବ୍ୟବସ୍ଥାରେ ୯୦/ ୯୬ ପ୍ରତିଶତରେ ପହଞ୍ଚିଗଲା। ଏହି ବ୍ୟବସ୍ଥାରେ ଛାତ୍ରଛାତ୍ରୀଙ୍କ ବାସ୍ତବ ମେଧା ମୂଲ୍ୟାୟନ ସମ୍ଭବ ହେଉ ନାହିଁ ବୋଲି ବିଭିନ୍ନ ମହଲରେ ଅଭ‌ିଯୋଗ ବି ହେଲା। କରୋନା ମହାମାରୀ ଭୟ ଦୂର ହୋଇଥିବା ବେଳେ ଏହିସବୁ କାରଣରୁ ପୁଣି ପୁରୁଣା ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ ପରୀକ୍ଷା ଆୟୋଜନ କରିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି। ଅନ୍ୟପଟେ ସିବିଏସ୍‌ଇ ଢାଞ୍ଚାରେ ସ୍କୁଲସ୍ତରୀୟ ପରୀକ୍ଷାର କିଛି ନମ୍ବର ୱେଟେଜ୍ ଭିତ୍ତିରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶନ ସମୟରେ ହିସାବକୁ ନିଆଯିବ କି ନାହିଁ, ତାହାକୁ ନେଇ ବିଶେଷଜ୍ଞ ସ୍ତରରେ କିଛିଟା ଦ୍ବନ୍ଦ୍ବ ରହିଛି। ବୋର୍ଡ ପକ୍ଷରୁ ଏଭଳି ଦୁଇ ପ୍ରକାର ପ୍ରସ୍ତାବ ସରକାରଙ୍କୁ ଦିଆଯାଇଥିବା ବେଳେ ସରକାରଙ୍କ ସ୍ବୀକୃତି ପରେ ବୋର୍ଡ ଏ ସଂକ୍ରାନ୍ତରେ ଚୂଡାନ୍ତ ବିଜ୍ଞପ୍ତି ଜାରି କରିବାକୁ ଯାଉଛି।

Breaking News