ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗତ ୧୨ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ରୂପାନ୍ତରଣର ଯୁଗ ଦେଖିଛି। ସହରଠୁ ଗ୍ରାମ ସବୁଠି ବିକାଶ ଆସିଛି। ଅନ୍ତର୍ଜାତୀୟ ସ୍ତରରେ ଆମ ଦେଶର ଗୁରୁତ୍ବ ବଢ଼ିଛି। ଲୋକଙ୍କ ଜୀବନ ଧାରଣ ମାନରେ ପରିବର୍ତ୍ତନ ସୁନିଶ୍ଚିତ ହୋଇଛି। ‘ସଂକଳ୍ପରୁ ସିଦ୍ଧି’ ଦେଶକୁ ଆତ୍ମନିର୍ଭରଶୀଳତାର ଏକ ନୂଆ ମାର୍ଗ ଦେଖାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କେନ୍ଦ୍ରରେ ମୋଦୀ ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ବରର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହା କହିଥିଲେ। ସେହିପରି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି, ଦେଶରେ ଯୋଜନା ଦ୍ରୁତ ଗତିରେ କାର୍ଯ୍ୟକାରୀ ହୋଇଛି, ବିଶ୍ବର ଶକ୍ତିଶାଳୀ ଅର୍ଥନୀତି ଆଡ଼କୁ ଆମ ଦେଶ ଅଗ୍ରସର ହେଉଛି। ମୁଖ୍ୟମନ୍ତ୍ରୀ କହିଥିଲେ, ପୂର୍ବ ସରକାର ଅମଳରେ ଓଡ଼ିଶାରେ ଅନେକ ଯୋଜନା ଥିଲା। କିନ୍ତୁ ବହୁ ଯୋଜନା କେବଳ କାଗଜ କଲମରେ ସୀମିତ ଥିଲା। ଆଜି କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାରର ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ଐତିହାସିକ ଶିଖର ଛୁଇଁଛି। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ଆମେ କାର୍ଯ୍ୟ କରୁଛୁ। ବନ୍ଦର ଓ ସାମୁଦ୍ରିକ ବାଣିଜ୍ୟ, ରେଳପଥ, ଜାତୀୟ ରାଜପଥ, ବିମାନ ଚଳାଚଳ, କୃଷି, ସମବାୟ ଓ ମତ୍ସ୍ୟ ଚାଷୀଙ୍କ କଲ୍ୟାଣ, ପିଏମ୍ ମାତୃବନ୍ଦନା, ପିଏମ୍ ଜନମନ, ସହରାଞ୍ଚଳ ଓ ଗ୍ରାମୀଣ ବିକାଶ, ଦକ୍ଷତା ବିକାଶ, ପର୍ଯ୍ୟଟନ, ସୌର ଶକ୍ତି ଓ ସ୍ୱାସ୍ଥ୍ୟ ସେବା; ସବୁ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗ ଓଡ଼ିଶାକୁ ସମୃଦ୍ଧି ଅଭିମୁଖେ ନେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।। ଶ୍ରୀ ମାଝୀ କହିଥିଲେ, ୨୦୨୦ର କରୋନା ମହାମାରୀ ସମୟରେ ବିଶ୍ୱର ଅନେକ ଗରିବ ରାଷ୍ଟ୍ରକୁ ସହାୟତାର ହାତ ବଢ଼ାଇ ଭାରତ ‘ବିଶ୍ୱବନ୍ଧୁ’ ଭାବେ ଉଭା ହୋଇଥିଲା। ୟୁକ୍ରେନ ଯୁଦ୍ଧ ଏବଂ ପଶ୍ଚିମ ଏସିଆର ସଂକଟ ସତ୍ତ୍ୱେ ଭାରତ ଆଜି ୭% ରୁ ୯% ଅଭିବୃଦ୍ଧି ହାର ସହ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବଢ଼ୁଥିବା ପ୍ରମୁଖ ଅର୍ଥନୀତି। ଦିନ ଥିଲା ଭାରତକୁ ବିଶ୍ୱର ୫ଟି ଦୁର୍ବଳ ଅର୍ଥନୀତି ମଧ୍ୟରେ ଗଣାଯାଉଥିଲା। ଆଜି ମୋଦୀଙ୍କ ଦୂରଦୃଷ୍ଟି ଯୋଗୁଁ ବିଶ୍ୱରେ ଅସ୍ଥିରତା ମଧ୍ୟରେ ଗତ ଆର୍ଥିକ ବର୍ଷରେ ଭାରତ ୭.୭ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିଛି। ଦେଶର ମଜଭୁତ ଭିତ୍ତିଭୂମି, ଉତ୍ପାଦନ, ଉନ୍ନତ ସେବା କ୍ଷେତ୍ର ଏବଂ ସୁଦୃଢ଼ ଡିଜିଟାଲ୍ ଇକୋସିଷ୍ଟମ୍ ଏହାର ଜ୍ୱଳନ୍ତ ପ୍ରମାଣ। ଭାରତ ଆଜି ଉଭୟ ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେଉଛି। ସେମିକଣ୍ଡକ୍ଟର ଚିପ୍ ମେସିନ୍ ନିର୍ମାଣ କରୁଥିବା ବିଶ୍ୱପ୍ରସିଦ୍ଧ କମ୍ପାନୀ ଏଏସ୍ଏମ୍ଏଲ୍ ସହ ଭାରତର ବୁଝାମଣା ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ବଡ଼ ସଫଳତା। କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଥିଲେ, ୨୦୧୪ରେ ମୋଦୀ ସରକାର ଆସିବା ପୂର୍ବରୁ ଅନେକ ଯୋଜନା ଥିଲା। କିନ୍ତୁ ସେଗୁଡ଼ିକର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ଶ୍ରୀ ମୋଦୀ ଦାୟିତ୍ବ ନେବା ପରେ ଯୋଜନା, କାର୍ଯ୍ୟକ୍ରମର ଗତି ବଢ଼ିଲା, ଦୁର୍ନୀତି ଦୂର ହେଲା। ପିଏମ୍ ଆବାସ ନିର୍ମାଣ, ଶୌଚାଳୟ ନିର୍ମାଣ, ବିଦ୍ୟୁତ୍ ସଂଯୋଗ ଆଶାତୀତ ଭାବେ ବୃଦ୍ଧି ପାଇଛି। ସରକାରୀ ଅର୍ଥର ଅପଚୟ ରୋକାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ରାଜ୍ୟସଭା ସାଂସଦ ମନମୋହନ ସାମଲ ଏବଂ ମୁଖ୍ୟ ସଚିବ ଅନୁ ଗର୍ଗ ଉପସ୍ଥିତ ଥିଲେ।






More Stories
ମୌସୁମି ଆସିବାକୁ ନେବ ଆଉ ଦୁଇଦିନ ଅଧିକ…..
୧୫ IPS ଅଫିସରଙ୍କୁ ୧୭ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ…..
ଗୃହରକ୍ଷୀଙ୍କ ଦୈନିକ ଭତ୍ତା ବୃଦ୍ଧି…..