ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାକୁ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଆସିବାରେ ପାଣିପାଗ ବିଭାଗର ପୂର୍ବ ଆକଳନ ଅନୁସାରେ ଆଉ ଦୁଇଦିନ ଅଧିକ ସମୟ ଲାଗିପାରେ। ମଙ୍ଗଳବାର ପାଣିପାଗ ବିଭାଗର ଆକଳନରୁ ସ୍ପଷ୍ଟ ହୋଇଛି ଯେ, ଆସନ୍ତା ୪ରୁ ୫ଦିନ ମଧ୍ୟରେ ମୌସୁମି ବାୟୁ ଓଡ଼ିଶା ଛୁଇଁପାରେ। କିନ୍ତୁ ଜୁନ୍ ୧୫ ପର୍ଯ୍ୟନ୍ତ ରାଜ୍ୟରେକାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ଥିବାବେଳେ ଆସନ୍ତା ୧୧ ଏବଂ ୧୨ରେ ବାଲେଶ୍ବର, ମୟୂରଭଞ୍ଜ, ମାଲକାନଗିରି ଏବଂ କୋରାପୁଟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟରେ ପ୍ରାକ୍ ମୌସୁମି ବର୍ଷା ହେଉଥିବା କୁହାଯାଉଛି। ପାଣିପାଗ ବିଭାଗର ରିର୍ପୋଟ ଅନୁସାରେ, ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଆଗାମୀ ୪ରୁ ୫ଦିନ ମଧ୍ୟରେ କେନ୍ଦ୍ରୀୟ ଆରବ ସାଗରର କିଛି ଅଞ୍ଚଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ସହିତ ତାମିଲନାଡୁର ଅବଶିଷ୍ଟ ଅଞ୍ଚଳକୁ ସ୍ପର୍ଶ କରିପାରେ। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର କେତେକ ସ୍ଥାନ, ପଶ୍ଚିମ-କେନ୍ଦ୍ରୀୟ, ଉତ୍ତର-ପଶ୍ଚିମ ବଙ୍ଗୋପସାଗରର କେତେକ ଅଞ୍ଚଳରେ ମୌସୁମି ପ୍ରବେଶ କରିବାର ସମ୍ଭାବନା ରହିଛି। ପଶ୍ଚିମବଙ୍ଗର ଆଉ କିଛି ଅଞ୍ଚଳ ସହ ଛତିଶଗଡ଼, ବିହାର, ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ମୌସୁମି ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି। ପୂର୍ବ ଉତ୍ତର ପ୍ରଦେଶ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ, ଉତ୍ତର-ପୂର୍ବ ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶା ଉପରେ ଏକ ନିମ୍ନଚାପରେଖା ସକ୍ରିୟ ରହିଛି। ଜୁନ୍ ୧୫ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଜନିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟକୁ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷାର ସମ୍ଭାବନା ରହିଛି। କିଛି ସ୍ଥାନରେ ଘଣ୍ଟାପ୍ରତି ୪୦ରୁ ୫୦କି.ମି. ବେଗରେ ପବନ ବହିପାରେ। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଉପରୋକ୍ତ ଜିଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।






More Stories
‘ସଂକଳ୍ପରୁ ସିଦ୍ଧି’…..
୧୫ IPS ଅଫିସରଙ୍କୁ ୧୭ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ…..
ଗୃହରକ୍ଷୀଙ୍କ ଦୈନିକ ଭତ୍ତା ବୃଦ୍ଧି…..