ରିପୋର୍ଟ କାର୍ଡ / ଭୁବନେଶ୍ବର
ବେଆଇନ ବାଲିଘାଟ ଉପରେ ଅଙ୍କୁଶ ଲାଗିପାରୁନି। ଅପରାଧୀମାନେ ରକ୍ତମୁଖା ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଳାରେ ବାଲିଘାଟ ଜଗିବା ଦାୟିତ୍ବ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ (ଓଆଇଏସଏଫ୍)କୁ ପ୍ରଦାନ କରାଯିବ। ଏଥିପାଇଁ ଖଣି ବିଭାଗ ପକ୍ଷରୁ ଗୃହ ବିଭାଗକୁ ଅନୁରୋଧ କରାଯାଇଛି। ଗୁରୁବାର ବିଧାନସଭାରେ ଏକ ଲିଖିତ ଉତ୍ତରରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦର୍ଶାଇଛନ୍ତି, ଜିଲାସ୍ତରରେ ଖଣି ଅଧିକାରୀଙ୍କୁ ସ୍ବତନ୍ତ୍ର ଭାବେ ସୁରକ୍ଷା ବଳ ଯୋଗାଇ ଦେବା ପାଇଁ ବିଭାଗ ଯୋଜନା କରିଛି। ଏଥିପାଇଁ ୫୭ ସେକ୍ସନ ଓଆଇଏସ୍ଏଫ୍ ନିୟୋଜନ କରିବା ପାଇଁ ଗୃହ ବିଭାଗକୁ ଅନୁରୋଧ କରାଯାଇଛି। ସେହିପରି ଓଏମ୍ଏମ୍ସି-୨୦୧୬ ନିୟମକୁ ସଂଶୋଧନ କରି ଖଣି ବିଭାଗର ଅଧିକାରୀଙ୍କ ବ୍ୟତୀତ ଅତିରିକ୍ତ ତହସିଲଦାର, ପୋଲିସ ସବ୍ଇନ୍ସପେକ୍ଟର ଓ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଚଢ଼ଉ ଓ ବେଆଇନ ଖଣିଜ ଜବତ କରିବା ପାଇଁ କ୍ଷମତା ଦେବାକୁ ପଦକ୍ଷେପ ନିଆଯାଇଛି। ସେହିପରି ବିଧାୟକ ଅମରେନ୍ଦ୍ର ଦାସଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି, ଓଡ଼ିଶାରୁ କିଛି ପଡ଼ୋଶୀ ରାଜ୍ୟ ଓ ବିଦେଶକୁ ବି ବାଲି ରପ୍ତାନି ହେଉଛି। ୨୦୨୩-୨୪ ଓ ୨୦୨୪-୨୫ରେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳରୁ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜକୁ ବାଲି ରପ୍ତାନି କରାଯାଇଛି। ସେହିପରି ଗଜପତି, ରାୟଗଡ଼ାରୁ ଆନ୍ଧ୍ରପ୍ରଦେଶକୁ ବାଲି ରପ୍ତାନି କରାଯାଇଥିବାବେଳେ ଯାଜପୁରରୁ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡକୁ ବାଲି ରପ୍ତାନି ହୋଇଛି। ଏ ବାବଦରେ ରାଜ୍ୟ ସରକାର ରାଜସ୍ବ ପାଇଛନ୍ତି। ରାଜ୍ୟର ବିଭିନ୍ନ ଜିଲାରେ ଏବେ ୯୯୪ଟି ବାଲିଘାଟ ନିଲାମ ହୋଇଥିବା ବେଳେ ଶତାଧିକ ବାଲିଘାଟ ନିଲାମ ହୋଇପାରି ନାହିଁ। ଗତ ୧୯ ତାରିଖରେ ମନ୍ତ୍ରୀ ଶ୍ରୀ ଜେନା ଦେଇଥିବା ଉତ୍ତର ଅନୁସାରେ ୨୦୨୪-୨୫ରେ ସରକାର ନିଲାମ ହୋଇଥିବା ବାଲିଘାଟରୁ ୧୧୨.୧୪ କୋଟି ଟଙ୍କାର ରାଜସ୍ବ ପାଇଥିବା ବେଳେ ଚୋରା କାରବାର କରୁଥିବା ଲୋକଙ୍କଠାରୁ ୬୪.୦୪ କୋଟି ଟଙ୍କାର ଜୋରିମାନା ଆଦାୟ କରାଯାଇଛି। ଏନେଇ ୧୧,୨୨୩ ଥର ଚଢ଼ଉ କରାଯାଇ ୧୦,୪୦୫ ଗାଡ଼ି ଜବତ କରାଯାଇଛି ଏବଂ ୧୧୦୧ ଜଣଙ୍କୁ ଗିରଫ କରାଯାଇଛି।






More Stories
ତାରାଙ୍କ ବିସ୍ଫୋରକ ବୟାନ…..
ଆଦିବାସୀ,ପଛୁଆବର୍ଗଙ୍କ ଆର୍ଥିକ ଓ ସାମାଜିକ ସଶକ୍ତୀକରଣ ହେବ…..
ଅଗ୍ନିଶମ ବିଭାଗରେ ନିଯୁକ୍ତି ହେବେ ମହିଳା…..