Report Card Odisha

| Daily Odia News

ବଜେଟ୍‌ ପୂର୍ବରୁ ଆସିଲା ଓଡ଼ିଶାର ଅର୍ଥନୈତିକ ସର୍ଭେ ରିପୋର୍ଟ, ମୁଣ୍ଡପିଛା ଆୟ ୧, ୬୪, ୪୩୭ ଟଙ୍କା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ନେତୃତ୍ବ ସରକାରଙ୍କ ବଜେଟ୍‌ ଆସନ୍ତାକାଲି ଆସିବ। ମୋହନ ଚରଣ ମାଝୀଙ୍କ ସରକାରରେ ଏହା ପ୍ରଥମ ବଜେଟ୍‌ । ଆଜି ଅପରାହ୍‌ଣରେ ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଓଡିଶାର ଅର୍ଥନୀତି ୮.୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି। ଗତ ଥର ଅର୍ଥାତ ଆର୍ଥିକ ବର୍ଷ ୨୦୨୨-୨୩ରେ ୭.୯ ପ୍ରତିଶତ ଥିଲା। ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ଓଡ଼ିଶାର ମୁଣ୍ଡପିଛା ଆୟ ୧,୬୧,୪୩୬ ଟଙ୍କା ରହିଛି। ଏହା ଭାରତର ମୁଣ୍ଡପିଛା ଆୟଠାରୁ ୧୨.୪% କମ୍‌। ତେବେ ଶିଳ୍ପ ଓ ସେବା କ୍ଷେତ୍ରରେ ଉଚ୍ଚ ଅଭିବୃଦ୍ଧି ଯୋଗୁଁ ଏହା ସମ୍ଭବ ହେଇପାରିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ଆର୍ଥିକ ବର୍ଷ ୨୦୧୫-୧୬ ପରଠାରୁ ଓଡିଶାର ମୁଣ୍ଡପିଛା ଆୟ ୧୨.୧ ପ୍ରତିଶତ ସିଏଜିଆରରେ ବୃଦ୍ଧି ପାଇଥିବାବେଳେ, ୧୭ଟି ପ୍ରମୁଖ ରାଜ୍ୟ ତାଲିକାରେ ଓଡିଶା ୨୦୨୨-୨୩ରେ ୧୧ ତମ ସ୍ଥାନରେ ରହିଛି। ନୀତି ଆୟୋଗ ଅନୁଯାୟୀ ବହୁବିଧ ଦାରିଦ୍ର୍ୟ ଅନୁପାତ ୨୦୧୫-୧୬ରେ ୨୯.୩ ପ୍ରତିଶତ ଥିବାବେଳେ ୨୦୧୯-୨୧ ବେଳକୁ ଏହା ୧୫.୭ ପ୍ରତିଶତକୁ ହ୍ରାସ ପାଇଛି। ଏହି ବର୍ଷ ଭିତରେ ରାଜ୍ୟର ପ୍ରାୟ ୬୨ ଲକ୍ଷରୁ ଅଧିକ ଲୋକ ଦାରିଦ୍ର୍ୟରୁ ମୁକ୍ତ ହେଇଛନ୍ତି ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି। ତେବେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅଭିବୃଦ୍ଧି ୩.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ଶିଳ୍ପକ୍ଷେତ୍ରର ଅଭିବୃଦ୍ଧି ହାର ୮.୭ ପ୍ରତିଶତ, ସେବା କ୍ଷେତ୍ରର ଅଭିବୃଦ୍ଧି ହାର ୯.୨ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟମକୁ କହିଛନ୍ତି, ପୂର୍ବ ସରକାରଙ୍କ ଯୋଜନା, ନୀତି, ନୀତିକୁ ପ୍ରଣୟନ କରିବାର ଦକ୍ଷତା ଯୋଗୁଁ ଓଡ଼ିଶାର ଅଭିବୃଦ୍ଧି ଘଟିଛି। ଆମେ ବିଗତ ୨୪ ବର୍ଷ ମଧ୍ୟରେ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ କାମ କରିଛୁ।

Breaking News