Report Card Odisha

| Daily Odia News

୪ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶାକୁ ଛୁଇଁବ ମୌସୁମୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା ୨୫ତାରିଖରୁ ବର୍ଷା ପରିମାଣ ବଢିବା ସହିତ ୨୬ରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଗାମୀ ୩ ଦିନ ବିଜୁଳି ଘଡଘଡି ପାଇଁ ସତର୍କ ସୂଚନା ଦିଆଯାଇଛି। ରାଜ୍ୟରେ ପ୍ରାୟ ସବୁ ଜିଲ୍ଲାକୁ ଛୁଇଁଛି ମୌସୁମୀ । ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ବର ଜିଲାର କିଛି ଅଞ୍ଚଳରେ ପହଞ୍ଚି ପାରିନାହିଁ ମୌସୁମୀ । ମୌସୁମୀ ଅଗ୍ରସର ପାଇଁ ଏବେ ପାଗ ଅନୁକୂଳ ରହିଛି। ଆଗାମୀ ୩ରୁ ୪ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶାକୁ ଛୁଇଁବ। ବର୍ଷା ପ୍ରଭାବରେ ଉପକୂଳରେ ଗୁଳୁଗୁଳି କମିଛି। ଉତ୍ତର ଉପକୂଳ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୩୦ଡିଗ୍ରୀ ରେକର୍ଡ ହୋଇଛି। ଦକ୍ଷିଣ ଉପକୂଳ ଓଡ଼ିଶାରେ ପ୍ରାୟ ୨୮ରୁ ୩୦ଡିଗ୍ରୀ ତାପମାତ୍ରା ରହିଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ମନୋରମା ମହାନ୍ତି କହିଛନ୍ତି। ଜୁନ ପହିଲାରୁ ଆଜି ପର୍ଯ୍ୟନ୍ତ ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ, ସମ୍ବଲପୁର, ଢେଙ୍କାନାଳ, କଟକ ଓ ଜଗତସିଂହପୁର ଜିଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ଅବଶିଷ୍ଟ ୨୨ ଜିଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇଛି। ଶନିବାର ସନ୍ଧ୍ୟା ସାଢେ ୫ଟା ସୁଦ୍ଧା ଫୁଲବାଣୀରେ ସବୁଠୁ ଅଧିକ ୫୧ମି.ମି ବର୍ଷା ରେକର୍ଡ ହୋଇଥିବା ବେଳେ ଖୋର୍ଦ୍ଧା ୨୫ମି.ମି, ନବରଙ୍ଗପୁର ୨୮ ମି.ମି ଏବଂ ହୀରାକୁଦ ୧୨.୨ ମି.ମି ବର୍ଷା ହୋଇଛି। ଏଥିସହିତ ଭୁବନେଶ୍ବର, କଟକ, ଜଗତସିଂହପୁର, ରାୟଗଡା ଏବଂ ସମ୍ବଲପୁର ଆଦି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି। ଗତ ୨୪ ଘଣ୍ଟାରେ ବୌଦ୍ଧ ଜିଲାର କଣ୍ଟାମାଳରେ ସର୍ବାଧିକ ୧୦୮ ମି.ମି, କଳାହାଣ୍ଡିର ଥୁଆମୂଳରାମପୁରରେ ୧୦୨ମି.ମି., ମାହାଙ୍ଗା ଓ କଣ୍ଟାପଡାରେ ୯୪ ମି.ମି ଲେଖାଏଁ ବର୍ଷା ରେକର୍ଡ ହୋଇଛି। ସେହିଭଳି ବୌଦ୍ଧ, କଳାହାଣ୍ଡି, କଟକ, ଜଗତସିଂହପୁର, ସୁନ୍ଦରଗଡ, ଖୋର୍ଦ୍ଧା, ନବରଙ୍ଗପୁର, ସୁବର୍ଣ୍ଣପୁର ଏବଂ ରାୟଗଡା ସହରରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଆଗାମୀ ୩ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ପବନ ହେବାକୁ ଥିବାବେଳେ କେତେକ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ।

Breaking News