Report Card Odisha

| Daily Odia News

ରାଜ୍ୟ କ୍ୟାବିନେଟରେ କରୋନା ଟିକାକୁ ଗୁରୁତ୍ୱ, ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଟିକା ସଂଗ୍ରହ କରିବ ଓଡିଶା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଗୋଟିଏ ପଟେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅନ୍ୟ ପଟେ କରୋନା ମୃତ୍ୟୁ ସଂଜୀବନୀ କୁହାଯାଉଥିବା ଟିକା ଅଭାବ ଦେଖା ଦେଇଛି | ଏହି କୋଭିଡ୍ ଟିକାକରଣକୁ ତ୍ୱରାନ୍ୱିତ କରିବା ନିମନ୍ତେ ବିଭିନ୍ନ ଟିକା କମ୍ପାନୀରୁ ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଟିକା ସଂଗ୍ରହ ନିମନ୍ତେ ରୂପରେଖ ପ୍ରସ୍ତୁତ ପାଇଁ ଏକ ବୈଷୟିକ କମିଟି ଗଠନ କରିବା ସଂକଳ୍ପ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। କ୍ୟାବିନେଟ ବୈଠକରେ କୋଭିଡ୍ ପରିଚାଳନା ଓ ମହାମାରୀକୁ ରୋକିବା ନିମନ୍ତେ ଏକ ସଂକଳ୍ପ ପ୍ରସ୍ତାବକୁ ଅନୁମୋଦନ ସହ ଜଳସମ୍ପଦ, ଶିଳ୍ପ, ବାଣିଜ୍ୟ ଓ ପରିବହନ, ସାଧାରଣ ପ୍ରଶାସନ ଏବଂ ଗୃହ ବିଭାଗର ଅନ୍ୟ ୧୧ ପ୍ରସ୍ତାବ ଗୃହୀତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ରାଜ୍ୟବାସୀଙ୍କ ପାଇଁ ଟିକା ସଂଗ୍ରହ ନିମନ୍ତେ ସର୍ବୋତ୍ତମ ଚେଷ୍ଟା କରିବା, ଟିକା ଯୋଗାଣକୁ ସୁନିଶ୍ଚିତ କରି ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ଓ ରାଜ୍ୟରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ତଥା ଏଥିପାଇଁ ଏକ ସଂକଳ୍ପ ଗୃହୀତ ହୋଇଛି। କ୍ୟାବିନେଟ୍ ରେ କରୋନା ଯୋଦ୍ଧଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା ସହ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ ନିମନ୍ତେ ଲୋକଙ୍କୁ ନିବେଦନ କରିଛନ୍ତି। ଏହି କ୍ୟାବିନେଟ୍ ବୈଠକରେ ଗୃହୀତ ସଂକଳ୍ପ ଅନୁସାରେ, କୋଭିଡ୍‌-୧୯ ମହାମାରୀ ବିରୁଦ୍ଧରେ ଲଢ଼େଇରେ କୋଭିଡ୍ ଯୋଦ୍ଧାମାନେ ଯେପରି ନିଷ୍ଠା ଓ ତ୍ୟାଗ ମନୋଭାବ ନେଇ କାମ କରୁଛନ୍ତି କ୍ୟାବିନେଟ ତା’ର ଉଚ୍ଚ ପ୍ରଶଂସା କରିଛି । କୋଭିଡ୍ ବିରୁଦ୍ଧରେ ଚାଲିଥିବା ଲଢ଼େଇରେ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଯଥା- ଟେଷ୍ଟିଂ, ଟ୍ରାକିଂ, ଟିକାକରଣ ଓ ଲକଡାଉନ୍ ଆଦିରେ ରାଜ୍ୟବାସୀଙ୍କ ସହଯୋଗ କରିଥିବାରୁ କ୍ୟାବିନେଟ କୃତଜ୍ଞତା ଜଣାଇଛି। ଭବିଷ୍ୟତରେ କୋଭିଡ୍ ସଂକ୍ରମଣରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ପାଇଁ ଟିକାକରଣ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି କ୍ୟାବିନେଟ ଅନୁଭବ କରିଛନ୍ତି। ଇସ୍ରାଏଲ ପରି ଦେଶ ଯେଉଁମାନେ ଏବେ ନିଜ ଜନସଂଖ୍ୟାର ବୃହତ ଭାଗକୁ ଟିକାକରଣ କରିସାରିଛନ୍ତି, ସେମାନେ ଏବେ ସ୍ୱାଭାବିକତା ଆଡ଼କୁ ଫେରୁଛନ୍ତି । ତେଣୁ ରୋଗର ଜଟିଳତା ହ୍ରାସ କରି ରୋଗୀର ଜୀବନ ରକ୍ଷା ଦିଗରେ ଟିକାକରଣ ବହୁତ ଫଳପ୍ରଦ ହେଉଥିବା ଜଣାପଡ଼ିଛି। ବିପଦପୂର୍ଣ୍ଣ କାର୍ଯ୍ୟ ପରିବେଶ ସତ୍ତ୍ୱେ ଆଗଧାଡ଼ି କର୍ମଚାରୀ ତଥା ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀମାନେ କୋଭିଡ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେମାନଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇଛି। ଟିକା ଉପରୁ ସମସ୍ତ ପ୍ରକାରର ଟିକସ ଉଠାଇବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି ଓ ଏହାଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍ ଚାପ ପଡ଼ିବ ଓ ସାମୁହିକ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ବିଶେଷ ସହାୟକ ହେବ। କୋଭିଡ୍ ବିରୁଦ୍ଧରେ ଚାଲିଥିବା ଏହି ଲଢ଼େଇ ବହୁତ ଲମ୍ବା ଚାଲିବ। ତେଣୁ କେନ୍ଦ୍ର ସରକାର ବିଭିନ୍ନ ସେସ୍ ଓ ସରଚାର୍ଜ ମାଧ୍ୟମରେ ଆଦାୟ କରୁଥିବା ଅତିରିକ୍ତ ସମ୍ବଳକୁ ରାଜ୍ୟମାନଙ୍କ ମଧ୍ୟରେ ଉପଯୁକ୍ତ ବଣ୍ଟନ କରିବାର ଆବଶ୍ୟକତା ରହିଛି। ତେଣୁ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ। ଏହା କୋଭିଡ୍ ଲଢ଼େଇରେ ରାଜ୍ୟମାନଙ୍କୁ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ଶକ୍ତି ଯୋଗାଇବ ବୋଲି କ୍ୟାବିନେଟ ବୈଠକରେ ଆଲୋଚନା ହୋଇଛି। କ୍ୟାବିନେଟ ମଧ୍ୟ ରାଜ୍ୟ ସରକାର ତାଙ୍କର ଉପଲବ୍ଧ ସମ୍ବଳର ବିନିଯୋଗ କରି କୋଭିଡ୍ ବିରୁଦ୍ଧରେ ଲଢ଼େଇକୁ ଜୋରଦାର କରୁଥିବା ଓ କୋଭିଡ୍ ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଦୃଢ଼ ସଂକଳ୍ପର ପୁନଃଘୋଷଣା କରିଛନ୍ତି। ଏହି ଅବସରରେ ରାଜ୍ୟ କ୍ୟାବିନେଟ୍ ପୁଣିଥରେ ରାଜ୍ୟବାସୀଙ୍କୁ କୋଭିଡ୍ ଗାଇଡଲାଇନ୍ ପାଳନ କରିବା ସହ ଆବଶ୍ୟକତା ନଥିଲେ ବାହାରକୁ ନଯିବା ପାଇଁ ଅନୁରୋଧ କରିଛନ୍ତି।

Breaking News