ରିପୋର୍ଟ କାର୍ଡ / କୋରାପୁଟ
ଆନ୍ଧ୍ର ଓଡ଼ିଶାର କୋଟିଆ ଉଚ୍ଚତମ ପର୍ବତମାଳା ଦେଓମାଳି ଉପରେ ନଜର ଥିବା ଚର୍ଚ୍ଚାହେଉଛି | ରବିବାର ବଣ ଭୋଜି ବାହାନାରେ ଆନ୍ଧ୍ର ପ୍ରଦେଶର ୬ ଜଣ ଆଇଏଏସ୍ଙ୍କ ସମେତ ୫୭ ଜଣ ଅଧିକାରୀ ରବିବାର ଦେଓମାଳି ବୁଲିଛନ୍ତି। ୨୨ଟି କାରରେ ଆସିଥିବା ଏହି ଅଧିକାରୀମାନଙ୍କ ସହିତ ଥିଲେ ସେଠାର ପୋଲିସ । ଓଡ଼ିଶା ପୋଲିସ ସେଠାରେ ପହଞ୍ଚିବା ମାତ୍ରେ ସେମାନେ ତରବର ହୋଇ ପଲାଇଥିଲେ। ଗୋଟିଏ ପଟେ କୋଟିଆ ବିବାଦର ସ୍ଥାୟୀ ସମାଧାନ ବାହାରି ନାହିଁ। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସଚିବସ୍ତରୀୟ କମିଟି ଗଠନ ହୋଇ ନ ଥିବାବେଳେ କେବେ ବୈଠକ ହେବ ସେ ନେଇ କିଛି ସ୍ପଷ୍ଟ ସୂଚନା ନାହିଁ। ଏଭଳି ପରିସ୍ଥିତିରେ ପୁଣି ନୂଆ ବିବାଦ ସୃଷ୍ଟି କରିବା ଲାଗି ଆନ୍ଧ୍ର ଅଧିକାରୀମାନେ ଏଭଳି ଗସ୍ତ କରିଥିବା କୁହାଯାଉଛି। ରବିବାର ସକାଳୁ ସକାଳୁ ସାଦା ପୋଷାକରେ ଓଡ଼ିଶା ଭିତରେ ପଶିଥିଲା ଆନ୍ଧ୍ର ପୁଲିସ। ଛକ ଛକରେ ଅଟକି ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରଶାସନିକ ଅଧିକାରୀଙ୍କ ଗାଡ଼ି ରାସ୍ତା ଅତିକ୍ରମ କରିବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲା। ସବୁ ଗାଡ଼ି ଦେଓମାଳି ଚାଲଯିବା ପରେ ପଛେ ପଛେ ପୁଲିସ ଅଧିକାରୀ ଯାଇଥିଲେ। ବିଜୟନଗର ଜିଲ୍ଲାପାଳ ଏ. ସୂର୍ଯ୍ୟ କୁମାର, ଜଏଣ୍ଟ କଲେକ୍ଟର ମୟୂର ଅଗ୍ରୱାଲ, ପିଓ ଆଇଟିଡିଏ ଆର. କୁର୍ମାନାଥ, ଜଏଣ୍ଟ କଲେକ୍ଟର ମହେଶ କୁମାର, ଜେ.ସି କିଶୋର କୁମାର ଏବଂ ବିଜୟନଗର ଜଏଣ୍ଟ କଲେକ୍ଟର ଏମ୍. ଭାବନା ପ୍ରମୁଖ ଦେଓମାଳିରେ ପହଞ୍ଚିଥିଲେ। ଏତେ ସଂଖ୍ୟାରେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ପଟାଙ୍ଗି ଦେଇ ଦେଓମାଳି ଯିବା ହଟଚମଟ ସୃଷ୍ଟି କରିଥିଲା। ଏହି ଖବର ପାଇ ଓଡ଼ିଶା ପୋଲିସ ବି ତତ୍ପରତା ପ୍ରକାଶ କରିଥିଲା। ଆନ୍ଧ୍ର ଅଧିକାରୀଙ୍କ ଗତିବିଧି ଉପରେ ନଜର ରଖିଥିଲା। ଅନ୍ୟପଟେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀ ଓଡ଼ିଶା ଆସୁଥିବା ନେଇ ପୂର୍ବରୁ କୋରାପୁଟ ଜିଲ୍ଲା ପ୍ରଶାସନକୁ ବି କୌଣସି ସୂଚନା ଦିଆଯାଇ ନଥିଲା। ଏହି ଖବର ପାଇ ଓଡ଼ିଶାର କିଛି ଗଣମାଧ୍ୟମ ପ୍ରତିନିଧି ଦେଓମାଳିରେ ପହଞ୍ଚିଥିଲେ। ଖବର ସଂଗ୍ରହ ପାଇଁ ଗଣମାଧ୍ୟମ ପ୍ରତିନିଧି ଉଦ୍ୟମ କରିବା ସମୟରେ ଆନ୍ଧ୍ର ପୋଲିସ ପ୍ରଥମେ ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା। ପରେ ଓଡ଼ିଶା ପକ୍ଷରୁ କୋରାପୁଟ ଏଡିଏମ୍ ରାମେଶ୍ୱର ପ୍ରଧାନ, ପଟାଙ୍ଗି ବିଡିଓ, ସେମିଳିଗୁଡା ବିଡିଓ ଏବଂ କୋରାପୁଟ ତହସିଲଦାର ପହଞ୍ଚି ଯିବାରୁ ଆନ୍ଧ୍ର ପୋଲିସ ଚୁପ୍ ହୋଇଯାଇଥିଲା। ଆନ୍ଧ୍ରର ୫୭ଜଣ ଅଧିକାରୀ ୪ଘଣ୍ଟା ଦେଓମାଳିରେ ବିତାଇ ଭୋଜିଭାତ କରିବା ସହ ଗାଲିଗବଦର ପିକ୍ନିକ୍ ସ୍ପଷ୍ଟକୁ ବି ଯାଇଥିଲେ। ସେଠାରେ ପୁଣି ଦୁଇ ଘଣ୍ଟା ବିତାଇ ପଟାଙ୍ଗି-ସୁଙ୍କି ରାସ୍ତାରେ ଆନ୍ଧ୍ରକୁ ଫେରି ଯାଇଥିବା ସୂଚନା ମିଳିଛି।






More Stories
ଯିଏ ଶୃଙ୍ଖଳା ଭାଙ୍ଗିବ କାର୍ଯ୍ୟାନୁଷ୍ଠାନ……
ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ଦିଆଯିବ…..
ସକାଳୁଆ ସ୍କୁଲ…..