Report Card Odisha

| Daily Odia News

ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ଓମଫେଡ୍ ଘିଅ ଡିପୋ ଖୋଲାଯାଉ…..

ରିପୋର୍ଟ କାର୍ଡ / ପୁରୀ

ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ। ଶ୍ରୀମନ୍ଦିର ମଧ୍ୟରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ସ୍ଥିର ହୋଇଥିବା ବେଳେ ଏନେଇ ସହଯୋଗ ପ୍ରଦାନ କରିବାକୁ ଓମେଫେଡକୁ ଅନୁରୋଧ କରିଛନ୍ତି ମୁଖ୍ୟ ପ୍ରଶାସକ। ଜଗନ୍ନାଥ ମନ୍ଦିର ଆବଶ୍ୟକତାକୁ ନଜରରେ ରଖି ଶ୍ରୀମନ୍ଦିର ପାଇଁ ଏକ ସ୍ୱତନ୍ତ୍ର ଡିପୋ ଖୋଲାଯିବା ନେଇ ଓମଫେଡ ପରିଚାଳନା ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟ ପ୍ରଶାସକ। ମୁଖ୍ୟ ପ୍ରଶାସକ ପତ୍ରରେ ଲେଖିଛନ୍ତି ଯେ, ଶ୍ରୀମନ୍ଦିର ମଧ୍ୟରେ ମହାପ୍ରସାଦ ପ୍ରସ୍ତୁତି ଏବଂ ଦୀପରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ସ୍ଥିର ହୋଇଛି । ଏନେଇ ସମ୍ପୃକ୍ତ ନିଯୋଗଗୁଡ଼ିକ ସହ ମଧ୍ୟ ଆଲୋଚନା ହେବା ସହ ସହମତି ପ୍ରକାଶ ପାଇଛି। ଶ୍ରୀମନ୍ଦିରରେ ଓମଫେଡ଼ ଘିଅର ଆବଶ୍ୟକତାକୁ ନଜରରେ ଯଥେଷ୍ଟ ଘିଅ ମହଜୁଦ୍ ରଖିବାକୁ ରଖି ପଦକ୍ଷେପ ଗ୍ରହଣ କରିବାକୁ ଓମଫେଡ଼କୁ ଅନୁରୋଧ କରିଛନ୍ତି ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ଡିପୋ କରାଗଲେ ଆବଶ୍ୟକତା ପୂରଣ ହେବା ସହ ଅପମଶ୍ରିତ ଘିଅକୁ ମଧ୍ୟ ରୋକାଯାଇ ପାରିବ ବୋଲି ମୁଖ୍ୟ ପ୍ରଶାସକ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ଘିଅ ଦର ମଧ୍ୟ ହ୍ରାସ କରାଯିବାକୁ ବିଭିନ୍ନ ନିଯୋଗ ପକ୍ଷରୁ ହୋଇଥିବା ଅନୁରୋଧକୁ ଗ୍ରହଣ କରିବାକୁ ପତ୍ରରେ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ମଧ୍ୟକୁ ଓମଫେଡ ବ୍ୟତୀତ ଯେପରି ଅନ୍ୟ କୌଣସି ଘିଅ ପ୍ରବେଶ ନ କରେ, ସେଥିପ୍ରତି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବରିଷ୍ଠ ସୁପରଭାଇଜର ଏବଂ କମାଣ୍ଡର ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ କୌଣସି ପ୍ରକାର ବ୍ୟତିକ୍ରମକୁ ବରଦାସ୍ତ କରାଯିବ ନାହିଁ, ଏଣିକି ଅନ୍ୟ ଛାପ ଘିଅ ଶ୍ରୀମନ୍ଦିରକୁ ନେବାକୁ ଚେଷ୍ଟା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ ସତର୍କ କରି ଦେଇଛନ୍ତି।

Breaking News