Report Card Odisha

| Daily Odia News

୩୦ ଦେଶରେ ପହଂଚିଲାଣି ‘ଓମିକ୍ରନ୍‌’ , ଭାରତର ଆକ୍ରାନ୍ତ ସଂଖ୍ୟା ୨……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କୋଭିଡ୍‌ ନୂଆ ଭାରିଅଂଟ ‘ଓମିକ୍ରନ୍‌’ ପ୍ରଜାତି ଏବେ ୩୦ ରାଷ୍ଟ୍ରକୁ ବ୍ୟାପିଲାଣି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରସ ଆଦନମ ଗତକାଲି ୨୩ ରାଷ୍ଟ୍ରରେ ଓମିକ୍ରନ୍‌ ପହଞ୍ଚିଥିବା ସ୍ପଷ୍ଟ କରିଥିବା ବେଳେ ମାତ୍ର ଦିନକ ମଧ୍ୟରେ ଏହା ୩୦କୁ ବୃଦ୍ଧି ପାଇଛି। ଡେ଼ଲ୍ଟା ଭାରିଅଂଟ ଠାରୁ ୬ ଗୁଣା ଅଧିକ ଗତିରେ ବ୍ୟାପୁଛି ‘ଓମିକ୍ରନ୍‌’ | ସମସ୍ତ ରାଷ୍ଟ୍ର କୋଭିଡ୍‌ର ଏହି ଅତି ମାରାତ୍ମକ ପ୍ରଜାତିକୁ ନେଇ ଅଧିକ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି। ଆମେରିକା ଏବଂ ଭାରତରେ ପ୍ରଥମ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି। କାଲିଫର୍ଣ୍ଣିଆରେ ଜଣେ ବ୍ୟକ୍ତି ଓମିକ୍ରନ୍‌ରେ ପୀଡ଼ିତ ହୋଇଛନ୍ତି। ଉକ୍ତ ବ୍ୟକ୍ତି ଜଣଙ୍କ କୋଭିଡ୍‌ ଟିକା ନେଇଛନ୍ତି। ତେବେ ସେ ନିକଟରେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଜଣାପଡ଼ିଛି। ଆମେରିକା ସଂକ୍ରାମକ ରୋଗ ନିୟନ୍ତ୍ରଣ ବିଭାଗର ମୁଖ୍ୟ ଡାକ୍ତର ଆନ୍ଥୋନି ଫୌସି କହିଛନ୍ତି, ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଟିକା ନେଇଛନ୍ତି ଏବଂ ତାଙ୍କଠାରେ କରୋନାର ଲକ୍ଷଣ ରହିଛି। ରାଷ୍ଟ୍ରପତି ଜୋ ବାଇଡେନ୍‌ ଆସନ୍ତା ସପ୍ତାହରୁ ଦେଶବ୍ୟାପୀ କଟକଣା କଡ଼ାକଡ଼ି କରିବା ସଂକ୍ରାନ୍ତ ଘୋଷଣା କରିପାରନ୍ତି। ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର ଆମେରିକାରେ ଟେଷ୍ଟିଂ କଡ଼ାକଡ଼ି କରିବାପାଇଁ ପଦକ୍ଷେପ ଗ୍ରହଣ କରୁଛି। ଭାରତରେ ମଧ୍ୟ କର୍ଣ୍ଣାଟକରେ ୨ଜଣ ଓମିକ୍ରନ୍‌ ପ୍ରଜାତିରେ ସଂକ୍ରମିତ ଥିବା ଜଣାପଡ଼ିବା ପରେ ସତର୍କତା ପଦକ୍ଷେପ ବଢ଼ାଇ ଦିଆଯାଇଛି। ଓମିକ୍ରନ୍‌ ଅନ୍ୟ ପ୍ରଜାତିଠାରୁ ଅତ୍ୟନ୍ତ ସଂକ୍ରାମକ। ଏହା ଟିକା ସୁରକ୍ଷାରୁ ଖସିଯାଉଥିବାରୁ ଭୟ ବଢ଼ୁଛି। ସପ୍ତାହକ ମଧ୍ୟରେ ଓମିକ୍ରନ୍‌ ନେଇ ଅଧିକ ଗବେ‌ଷଣାଲବ୍ଧ ତଥ୍ୟ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି । ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦେହସ ଗୋଡ଼ିକ ହେଉଛି-ଭାରତ (୨), ଦକ୍ଷିଣ ଆଫ୍ରିକା (୧୮୩), ବୋସ୍ତୱାନା (୧୯), ନେଦରଲାଣ୍ଡ (୧୬), ହଂକଂ (୭), ଇସ୍ରାଏଲ (୨), ବେଲଜିୟମ (୨), ବ୍ରିଟେନ (୩୨), ଜର୍ମାନୀ (୧୦), ଅଷ୍ଟ୍ରେଲିଆ (୮), ଇଟାଲି (୪), ଚେକ୍‌ ଗଣରାଜ୍ୟ (୧), ଡେନମାର୍କ (୬), ଅଷ୍ଟ୍ରିଆ (୪), କାନାଡ଼ା (୭), ସ୍ବିଡେନ୍‌ (୪), ସ୍ବିଜରଲାଣ୍ଡ୍‌ (୩), ସ୍ପେନ୍‌ (୨), ପର୍ତୁଗାଲ (୧୩), ଜାପାନ (୨), ଫ୍ରାନ୍ସ (୧), ଘାନା (୩୩), ଦକ୍ଷିଣ କୋରିଆ (୩), ନାଇଜେରିଆ (୩), ବ୍ରାଜିଲ (୨), ନରୱେ (୨), ଆମେରିକା (୧), ସାଉଦି ଆରବ (୧), ଆୟରଲାଣ୍ଡ (୧) ଏବଂ ୟୁଏଇ (୧)। ସୂଚନା ଅନୁସାରେ କର୍ଣ୍ଣାଟକରୁ ଦେଶରେ ପ୍ରଥମ ଓମିକ୍ରନ୍ ଭାରିଏଣ୍ଟ୍‌ ଆକ୍ରାନ୍ତ ଭାବେ ଦୁଇ ଜଣ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୨ ଜଣ ପୁରୁଷ ଏବଂ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ। ୪୬ ବର୍ଷୀୟ ବ୍ୟକ୍ତି ଜଣେ ଡାକ୍ତର ହୋଇ ଥିବାବେଳେ ସେ ବେଙ୍ଗାଲୁରୁର ବୋଲି ଜଣାପଡ଼ିଛି। ସେ କରୋନା ଟିକା ନେଇ ସାରିଥିଲେ। ସେହିପରି ୬୬ ବର୍ଷୀୟ ବ୍ୟକ୍ତି ଜଣକ ଦକ୍ଷିଣ ଆଫ୍ରିକୀୟ ନାଗରିକ। ସେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ସହ ଭାରତ ଆସିଥିଲେ। ନଭେମ୍ବର ୨୦ରେ ସେ ଭାରତରେ ପହଞ୍ଚିଥିଲେ ଓ ଏହାର ୭ ଦିନ ପରେ ସେ ଏକ ଫ୍ଲାଇଟ୍‌ରେ ଦୁବାଇ ଯାଇଥିଲେ। ସବୁଠାରୁ ବଡ଼ କଥା, କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ୪୬ ବର୍ଷୀୟ ଢାକ୍ତରଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ନଭେମ୍ବର ୨୧ରେ ତାଙ୍କୁ ଜ୍ୱର ହେବା ସହ ଶରୀରରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ସବୁଠାରୁ ଚିନ୍ତା ଜନକ ବିଷୟ, ସମ୍ପୃକ୍ତ ଡାକ୍ତରଙ୍କ ଯୋଗାଯୋଗରେ ଆସି ଆଉ ୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଡାକ୍ତରଙ୍କ ପରିବାରର ୨ ଜଣ ସଦସ୍ୟ ଥିବାବେଳେ ତାଙ୍କର ଜଣେ ବନ୍ଧୁ ଅଛନ୍ତି। ଡାକ୍ତରଙ୍କ ପତ୍ନୀ ଓ ୧୩ ବର୍ଷୀୟ ଝିଅ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତେବେ ସେମାନେ କେଉଁ ଭାରିଏଣ୍ଟ୍‌ରେ ଆକ୍ରାନ୍ତ ତାହା ଜାଣିବା ଲାଗି ସେମାନଙ୍କ ନମୁନାକୁ ଜେନୋମିକ୍‌ ସିକ୍ୱେନ୍ସିଂ ପାଇଁ ପଠାଯାଇଛି।

 

Breaking News