ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ସଞ୍ଜୟର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଯାହା ଘଟଣା ଦିନର ତଥା ଅଗଷ୍ଟ ୯ ତାରିଖର ବୋଲି କୁହାଯାଉଛି। ଅଭିଯୁକ୍ତ ସଞ୍ଜୟ ରୟ ହସ୍ପିଟାଲର ଚତୁର୍ଥ ମହଲାରେ ଚେଷ୍ଟ ବିଭାଗର ସେମିନାର ହଲକୁ ଯାଉଥିବା ଭିଡିଓରେ ନଜର ଆସିଛି। କୋଲକାତା ପୋଲିସ ଓ ସିବିଆଇ ତଦନ୍ତରୁ ମିଳିଥିବା ତଥ୍ୟ ଅନୁଯାୟୀ, ସେଦିନ ରାତିରେ ସେମିନାର୍ ହଲ୍କୁ ଯାଇଥିଲେ ମୋଟ୍ ୬ ଜଣ। ପୀଡ଼ିତା, ଅଭିଯୁକ୍ତ ସଞ୍ଜୟଙ୍କ ବ୍ୟତୀତ ଆଉ ୪ ଜଣ ଥିଲେ। ରାତିରେ ଡ୍ୟୁଟି ପରେ ସେମିନାର୍ ହଲରେ ହିଁ ପୀଡ଼ିତାଙ୍କ ସହ ଏମାନେ ଡିନର କରିଥିଲେ। ଡିନର୍ ପରେ ୪ ଜଣ ସେମିନାର ହଲରୁ ବାହାରି ଆସିଥିଲେ। ଏମାନଙ୍କ ମଧ୍ୟରେ ଜଣେ ଜୁନିୟର ଡାକ୍ତର ଓ ଆଉ ଜଣେ ସେମିନାର୍ ହଲ୍ ସାମ୍ନାରେ ଡାକ୍ତର ପାଇଁ ଥିବା ସ୍ଲିପ୍ ରୁମ୍ ଯାଇଥିଲେ। ଆଉ ଜଣେ ଇଣ୍ଟନ୍ ଡାକ୍ତର ସେହି ତୃତୀୟ ମହଲାରେ ଇଣ୍ଟର୍ଣ୍ଣଙ୍କ ପାଇଁ ଥିବା ରେଷ୍ଟ ରୁମକୁ ଯାଇଥିଲେ। ଏବଂ ହାଉସ୍ ଷ୍ଟାଫ ଜଣକ ପ୍ରଥମ ମହଲାକୁ ପଳେଇ ଥିଲେ। ପରେ ଭୋର୍ ପ୍ରାୟ ୪ଟା ବେଳେ ସେମିନାର୍ ହଲ୍କୁ ପଶିଥିଲା ଅଭିଯୁକ୍ତ ସଞ୍ଜୟ ରୟ। ପ୍ରାୟ ୩୦-୪୦ ମିନିଟ୍ ରହିବା ପରେ ସେଠୁ ବାହାରକୁ ଆସିଥିଲା ଅଭିଯୁକ୍ତ। ସେମିନାର ହଲକୁ ଯିବାବେଳେ ତା’ବେକରେ ହେଡଫୋନ ଏବଂ ହାତରେ ହେଲମେଟ ଥିଲା, କିନ୍ତୁ ବାହାରକୁ ଆସିବା ପରେ ତା’ ବେକରେ ହେଡଫୋନ୍ ନ ଥିଲା। ଡାକ୍ତରଙ୍କ ମୃତଦେହ ନିକଟରୁ ହେଡଫୋନ ଉଦ୍ଧାର କରାଯାଇଛି, ଯାହାଫଳରେ ସଞ୍ଜୟ ରୟଙ୍କୁ ଗିରଫ କରାଯାଇଥିଲା ବୋଲି ପୋଲିସ କହିଛି। ସଞ୍ଜୟଙ୍କ ଭିତରକୁ ଯାଉଥିବା ଏହି ସିସିଟିଭି ଫୁଟେଜ ଜାରି ହୋଇଛି, କିନ୍ତୁ ତାଙ୍କ ବାହାରିବା ବେଳର ଫୁଟେଜ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। ଫୁଟେଜରେ ଦେଖାଯାଇଥିବା ସଞ୍ଜୟଙ୍କ ଅଙ୍ଗଭଙ୍ଗୀରୁ ଜଣାପଡୁଛି ଯେ ସେ ପୀଡିତା ଡାକ୍ତରଙ୍କୁ ଖୋଜୁଛି। ସେ ଚେଷ୍ଟ ବିଭାଗ ଦେଇ ଯାଉଥିବାବେଳେ ସେ ଅନ୍ୟ କୋଠରୀକୁ ମଧ୍ୟ ଚାହୁଁଥିଲେ। ସତେ ଯେପରି ସେ ତାଙ୍କୁ ହିଁ ଖୋଜୁଥିଲେ। ସେପଟେ ସେମିନାର ହଲରେ କ୍ରାଇମ୍ ସ୍ଥଳ ଆଖପାଖରେ ଦୁଇ ଜୁନିୟର ଡାକ୍ତର ଯେଉଁମାନେ ସେଦିନ ପୀଡ଼ିତା ଅଭୟାଙ୍କ ସହ ଥିଲେ ସେମାନଙ୍କ ଫିଙ୍ଗର ପ୍ରିଣ୍ଟ ସିବିଆଇ ହାତରେ ଲାଗିଛି। ଫୋରେନସିକ ରିପୋର୍ଟ, ପରିବାର ଲୋକଙ୍କ ଅଭିଯୋଗ ପରେ ଏମାନଙ୍କ ଉପରେ ସନ୍ଦେହ ବି ବଢ଼ିଛି। ଏଥିସହ ୪ ଜଣଙ୍କର ସେଥିପାଇଁ ପଲିଗ୍ରାଫ ଟେଷ୍ଟ କରିବ ସିବିଆଇ।
More Stories
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଆଉ ଏକ ଖୁଲାସା କଲେ ରାହୁଲ…..
ନୂଆ ଭାରତ ପରମାଣୁ ଧମକକୁ ଭୟ କରେ ନାହିଁ:ପ୍ରଧାନମନ୍ତ୍ରୀ…..