Report Card Odisha

| Daily Odia News

ଇସ୍ରାଏଲ୍‌ରୁ ଦ୍ବିତୀୟ ବ୍ୟାଚ୍‌ରେ ଫେରିଲେ ୨୩୫ ଭାରତୀୟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇସ୍ରାଏଲ୍‌ ରୁ ଘମାଘୋଟ ଯୁଦ୍ଧ ଭିତରେ ଦ୍ବିତୀୟ ବ୍ୟାଚ୍‌ରେ ୨୩୫ ଭାରତୀୟଙ୍କୁ ନେଇ ସ୍ବତନ୍ତ୍ର ବିମାନ ଭାରତରେ ପହଞ୍ଚିଛି। ଆଜି ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଥିବା ଏହି ସ୍ବତନ୍ତ୍ର ବିମାନରେ ୨ଜଣ କଅଁଳାପିଲା ସମେତ ୨୩୫ଜଣ ଭାରତୀୟ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଇସ୍ରାଏଲ୍‌ରେ ଫସି ରହିଥିବା ଦ୍ବିତୀୟ ଛେକ ବା ବ୍ୟାଚ୍‌ ଭାରତୀୟ ନାଗରିକମାନଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ଫଟୋ ସେୟାର୍‌ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଥିଲେ: ‘ଅପରେସନ୍‌ ଅଜୟ’ର ଦ୍ବିତୀୟ ବିମାନ ୨୩୫ଜଣ ଭାରତୀୟଙ୍କୁ ନେଇ ତେଲ୍‌ ଅଭିଭ୍‌ରୁ ଉଡ଼ାଣ ଆରମ୍ଭ କରିଛି। ଗୁରୁବାର ଦିନ ‘ଅପରେସନ୍‌ ଅଜୟ’ର ପ୍ରଥମ ବିମାନରେ ୨୧୨ଜଣ ଭାରତୀୟ ଇସ୍ରାଏଲ୍‌ର ବେନ୍‌ ଗୁରିଅନ୍‌ ବିମାନ ବନ୍ଦରରୁ ଆସି ଶୁକ୍ରବାର ସକାଳେ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ‘ଫ‌ାଷ୍ଟ୍‌ କମ୍‌ ଫାଷ୍ଟ୍‌ ସର୍ଭ’ ବା ‘ଆଗ ଆସିଥିବା ‌ଲୋକଙ୍କୁ ଆଗ ସୁଯୋଗ’ ଦେବା ଭିତ୍ତିରେ ଯାତ୍ରୀମାନଙ୍କୁ ସ୍ବଦେଶକୁ ଅଣାଯାଉଛି। ସୂଚନାଯୋଗ୍ୟ, ଅକ୍ଟୋବର ୭ ତାରିଖରୁ ‘ଏୟାର୍‌ ଇଣ୍ଡିଆ’ ଓ ଅନ୍ୟାନ୍ୟ ଏୟାର୍‌ଲାଇନ୍‌ ସବୁ ଇସ୍ରାଏଲ୍‌କୁ ବ୍ୟାବସାୟିକ ବିମାନ ଚଳାଚଳ ବନ୍ଦ କରିଦେଲେ। ଫଳରେ ସେଠାରେ ଫସି ରହିଥିବା ବା ସେଠାରୁ ଚାଲି ଆସିବାକୁ ଚାହୁଁଥିବା ଭାରତୀୟ ନାଗରିକମାନଙ୍କୁ ସହାୟତା କରିବା ଲାଗି ଭାରତ ସରକାର ଅକ୍ଟୋବର ୧୧ ତାରିଖ ଦିନ ‘ଅପରେସନ୍‌ ଅଜୟ’ ଆରମ୍ଭ କରିଥିଲେ। ରବିବାର ଦିନ ମଧ୍ୟ ଭାରତୀୟମାନଙ୍କୁ ନେଇ ଆଉ ଏକ ବିମାନ ଦିଲ୍ଲୀରେ ପହଞ୍ଚିବ।

Breaking News